ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ପରିବାରଙ୍କୁ ବାଦ ଦିଆଯିବ । କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ପ୍ରଶ୍ନ କରିଥିଲେ ଯେ ଧନିକ ଶ୍ରେଣୀ, ଛାତଘର ଥିବା ଲୋକ, ଚାକିରିଆ ଓ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେଇପାରିବେ କି ? ଯାହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ପରିବାରଙ୍କୁ ବାଦ ଦିଆଯିବ । କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ସେହିପରି ଗତ ୫ ବର୍ଷରେ ଓଡ଼ିଶାକୁ କେତେ ଗୃହ ଆବାସ ଯୋଜନାରେ ମିଳିଛି ଏବଂ କେତେ ହିତାଧିକାରୀ ପାଇଛନ୍ତି ସେ ନେଇ ମଧ୍ୟ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ ୧୨ଲକ୍ଷ ୬୨୧ ଗୃହ ଧାର୍ଯ୍ୟ ପ୍ରାପ୍ତ ହୋଇଛି। ସେଥିମଧ୍ୟରୁ ୧୧ଲକ୍ଷ ୭୬ହଜାର ୫୩ଟି ଗୃହ ମଞ୍ଜୁର ହୋଇଥିବା ବେଳେ ୭ଲକ୍ଷ ୪୩ହଜାର ୩୨୧ଟି ଗୃହ ନିର୍ମାଣଧୀନ ଅଛି । ବାତ୍ୟା ଦାନାରେ ୧୩ହଜାର ୧୩୫ଟି କଚ୍ଚାଘର ନଷ୍ଟ ହୋଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।