ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଗରିକତା ସଂପର୍କିତ ଯାଚିକା ଉପରେ ଶୁଣାଣି କରିଛନ୍ତି। ଏହି ସମୟରେ କେନ୍ଦ୍ର ସରକାର ଆହ୍ଲାବାଦ ହାଇକୋର୍ଟରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନାଗରିକତା ରଦ୍ଦ କରାଯିବା ଉଚିତ୍ କି ନାହିଁ ତା ଉପରେ ବିଚାର କରୁଛୁ। ଡିସେମ୍ବର ୧୯ ତାରିଖରେ ନିଜର ନିଷ୍ପତ୍ତି କୋର୍ଟରେ ଜଣାଇବୁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଭାରତର ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ କହିଛନ୍ତି, ମନ୍ତ୍ରଣାଳୟକୁ ରାହୁଲ ଗାନ୍ଧୀଙ୍କ ବ୍ରିଟିଶ ନାଗରିକତା ରଦ୍ଦ କରିବା ଦାବିରେ ଆବେଦନ ମିଳିଥିଲା। ଏହାର ପ୍ରକ୍ରିୟା ଜାରି ରହିଛି ଏବଂ ସରକାର ଏ ଦିଗରେ ବିଚାର କରୁଛନ୍ତି। ଏହା ପୂର୍ବରୁ ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ଚ୍ୟାଲେଞ୍ଜ କରି ଆଗତ ଯାଚିକା ଉପରେ ଅକ୍ଟୋବର ୨୪ ତାରିଖରେ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ଶୁଣାଣି ହୋଇଥିଲା।
ସୂଚନାଯୋଗ୍ୟ, ଲକ୍ଷ୍ନୌ ହାଇକୋର୍ଟରେ ଯେଉଁ ଯାଚିକା ଦାୟର ହୋଇଥିଲା, ସେଥିରେ ରାହୁଲ ଗାନ୍ଧୀ ବିଦେଶୀ ନାଗରିକ ହୋଇଥିବା ଦାବି କରାଯାଇଥିଲା। କୋର୍ଟ ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟଠୁ ସୂଚନା ସଂଗ୍ରହ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ୨୦୨୪ ଜୁଲାଇରେ ସେହି ସମାନ ଯାଚିକା ଖାଜର କରିଥିଲେ କୋର୍ଟ ଏବଂ କହିଥିଲେ ନାଗରିକ ଆକ୍ଟ ଆଧାରରେ ସକ୍ଷମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ କହିଥିଲେ।