ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ ତିନି ମାସରୁ କମ ସମୟ ରହିଛି। କିନ୍ତୁ ଏ ପର୍ୟ୍ୟାନ୍ତ ଏହାର କ୍ରୀଡ଼ାସୂଚୀ ଜାରି କରାଯାଇ ପାରି ନାହିଁ। ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ କ୍ରୀଡ଼ାସୂଚୀ ଘୋଷଣାରେ ବିଳମ୍ବ ହେବାରେ ଲାଗିଛି। ଆଉ ଏହା ହିଁ ଆଇସିସି ପାଇଁ ବଡ ଚିନ୍ତାର କାରଣ ପାଲଟିଛି । ତେଣୁ ଏହି ବିବାଦର ସମାଧାନ ଏବଂ ଚାମ୍ପିଅନ୍ସ ଟ୍ରଫିର ସୁରୁଖୁରୁ ଆୟୋଜନ ପାଇଁ ଆଇସିସି ବୋର୍ଡ ବୈଠକ ଡକାଇଛି ।
ଇଏସପିଏନକ୍ରିକଇନମ୍ଫୋର ଖବର ଅନୁଯାୟୀ, ଆଇସିସି ପକ୍ଷରୁ ନଭେମ୍ବର ୨୯ରେ ବୋର୍ଡ ବୈଠକ ହେବାକୁ ଯାଉଛି। ବୈଠକରେ ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀକୁ ନେଇ ଆଲୋଚନା ହେବ। ହାଇବ୍ରିଡ ମୋଡେଲ୍ ଆଧାରରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ କି ନାହିଁ ଏହା ଉପରେ ଆଲୋଚନା ହେବ। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଥିବା ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ସରିବାକୁ ଯାଉଛି । ଏହା ପରେ ଡିସେମ୍ବର ୧ରୁ ନୂତନ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ ବର୍ତ୍ତମାନ ବିସିସିଆଇର ସଚିବ ଥିବା ଜୟ ଶାହ । ତେଣୁ ଏହି ପୁରୁଣା ବିବାଦ ସମାଧାନ ପାଇଁ ବୈଠକ ଡକାଇଛି ଆଇସିସି ।
ମିଟିଂରେ ବିବାଦର ସମାଧାନ ପାଇଁ ସବୁ ସଦସ୍ୟଙ୍କୁ ମତଦାନ କରିବା ପାଇଁ କୁହାଯାଇପାରେ। ବୋର୍ଡରେ ୧୨ ପୂର୍ଣ୍ଣକାଳୀନ ସଦସ୍ୟ ଦେଶର ପ୍ରତିନିଧି, ଆସୋସିଏଟ୍ ଦେଶର ତିନି ପ୍ରତିନିଧି, ଆଇସିସି ଅଧ୍ୟକ୍ଷ ଓ ସିଇଓଙ୍କ ସହିତ ସ୍ଵତନ୍ତ୍ର ନିର୍ଦ୍ଦେଶକ ମିଟିଂରେ ଯୋଗ ଦେବେ।
ଭାରତ ସରକାର ନିଜ ଦଳକୁ ପାକିସ୍ତାନ ପଠାଇବାକୁ ମନା କରି ଦେଇଛି। ଅନ୍ୟପଟେ ପାକିସ୍ତାନ ବିନା ହାଇବ୍ରିଡ ମୋଡେଲରେ ନିଜ ଦେଶରେ ଟୁର୍ଣ୍ଣାମେର୍ଣ୍ଣ ଆୟୋଜନ କରିବା ଜିଦରେ ଅଟଳ ରହିଛି। ତେଣୁ ଏହା ଉପରେ ବୈଠକରେ ସ୍ୱତନ୍ତ୍ର ଆଲୋଚନା କରାଯାଇ ଆଇସିସି ସମାଧାନ କରିବାକୁ ଚେଷ୍ଟା କରିବ । ବିଶେଷ କରି ଜୟ ଶାହ ଯୋଗ ଦେବା ପୂର୍ବରୁ ଏହି ପୁରୁଣା ମାମଲାକୁ ତୁଲାଇବାକୁ ଚାହୁଁଛି ଆଇସିସି ।