ନୂଆଦିଲ୍ଲୀ: କଂଗ୍ରେସ ବାଲାଟ୍ ପେପରରେ ନିର୍ବାଚନ କରାଇବା ଦାବିରେ ଦେଶବ୍ୟାପୀ ଅଭିଯାନ ଚଲାଇବାକୁ ଘୋଷଣା କରିଛି। ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେ ଚାହୁଁଛୁ ବାଲାଟ୍ ପେପରରେ ନିର୍ବାଚନ କରାଯାଉ। ଏଥିପାଇଁ ଆମେ ଭାରତ ଯାତ୍ରା ପରି ପୂରା ଦେଶରେ ଅଭିଯାନ ଚଲାଇବୁ।
ଖଡ଼ଗେ କହିଛନ୍ତି, ପୂରା ଶକ୍ତି ଲଗାଇ ଓବିସି, ଏସସି, ଏସଟି ଓ ଦୁର୍ବଳ ବର୍ଗର ଲୋକ ଯେଉଁ ଭୋଟ୍ ଦେଉଛନ୍ତି ତାହା ସବୁ ବରବାଦ ହେଉଛି। ଆମ କହିବାର ଅର୍ଥ ଇଭିଏମ ପରିତ୍ୟାଗ କରି ବାଲାଟ୍ ପେପରରେ ଭୋଟ୍ ଦେବାକୁ ଦାବି କରାଯାଉ। ସେହି ଲୋକମାନଙ୍କୁ ନିଜର ମେସିନ ତାଙ୍କ ଘରେ ରଖିବାକୁ ଦିଅନ୍ତୁ। ଅହମ୍ମଦାବାଦରେ ବହୁତ ଗୋଦାମ ରହିଛି, ସେଠାକୁ ଯାଇ ମେସିନ ରଖି ଦିଅନ୍ତୁ। ଆମର ଏକମାତ୍ର ଦାବି ବାଲାଟ୍ ପେପରରେ ନିର୍ବାଚନ କରାଯାଉ। ଯଦି ଏମିତି ଭୋଟ୍ କରାଯାଏ ତେବେ ଶାସକ ଦଳ ଜାଣି ପାରିବେ ଦେଶରେ ସେମାନେ କେଉଁଠି ଛିଡ଼ା ହୋଇଛନ୍ତି।
ପାର୍ଟି ଅଧ୍ୟକ୍ଷ କହିଛନ୍ତି, ମୋର କହିବା କଥା ଆମ ପାର୍ଟିକୁ ଏକ ଅଭିଯାନ ଆରମ୍ଭ କରିବା ଉଚିତ ଏବଂ ସବୁ ପାର୍ଟିକୁ ଏକାଠି ମିଶି କାମ କରିବା ଉଚିତ୍। ଆମେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତ ଯୋଡ଼ୋ ଯାତ୍ରା ପରି ସମଗ୍ର ଦେଶରେ ଅଭିଯାନ ଚଳାଇବୁ। ଏହି ସମୟରେ ମଲ୍ଲିକାର୍ଜୁନ ଖଡ଼ଗେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିଗତ ଜନଗଣନାକୁ ଡରୁଥିବା ସେ କହିଛନ୍ତି।
ଯଦି ବାସ୍ତବରେ ଆପଣ ଦେଶରେ ଏକତା ଚାହୁଁଛନ୍ତି ତେବେ ଘୃଣା ପ୍ରଚାର କରିବା ବନ୍ଦ କରନ୍ତୁ। ସମ୍ବିଧାନ ଦିବସ ଉପଲକ୍ଷେ ମଲ୍ଲିକାର୍ଜୁନ ଖଡ଼ଗେ ଏହି ଦାବି ଉଠାଇଛନ୍ତି। ଆଉ ତାଙ୍କ ପାର୍ଟିର ଦାବି ଉପରେ ସଂସଦରେ ଆଲୋଚନା କରାଯିବା ଉଚିତ୍ ବୋଲି ଖଡ଼ଗେ କହିଛନ୍ତି।