ଭୁବନେଶ୍ଵର: ବିଜୁ ଜନତା ଦଳ ସରକାର ଅମଳରେ ତୃତୀୟ ମହଲାର ପ୍ରଭାବଶାଳୀ ଆଇଏଏସ ଥିବା ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ କଲେ ରାଜ୍ୟ ସରକାର। ଆଉ ୬ ମାସ ଛୁଟି ଦେବାକୁ ଆବେଦନ କରିଥିଲେ ସୁଜାତା। ତାଙ୍କ ଆବେଦନ ଅଗ୍ରାହ୍ୟ କରି ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝୀ ସରକାର । ବିଜେଡି ହାରିବା ପରେ ଚଳିତ ବର୍ଷ ମେ ୩୧ରୁ ୬ ମାସ ଛୁଟିରେ ଯାଇଥିଲେ ସୁଜାତା।
ପୂର୍ବତନ ଆଇଏଏସ ତଥା ବିଜେଡି ନେତା ରହିଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ହେଉଛନ୍ତି ୨୦୦୦ ବ୍ୟାଚର ଆଇଏଏସ ସୁଜାତା କାର୍ତ୍ତିକେୟନ। ବିଜେଡି ସରକାରର ପ୍ରଶାସନରେ ସୁଜାତାଙ୍କ ବେଶ ଦବଦବା ରହିଥିଲା। ସେ ମିଶନ ଶକ୍ତି ବିଭାଗର ସଚିବ ଥିଲେ । କିନ୍ତୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ନିଜ ପଦର ଦୁରୁପଯୋଗକରି ମିଶନ ଶକ୍ତିରେ ଥିବା ରାଜ୍ୟର ମହିଳାଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ ଆୟୋଗ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତାଙ୍କୁ ମିଶନ୍ତ ଶକ୍ତି ବିଭାଗରୁ ବଦଳି କରି ଦେଇଥିଲେ।
ଏହା ପରେ ନିର୍ବାଚନରେ ବିଜେଡିର ପରାଜୟ ଭୋଗିଥିଲା ଏବଂ ବିଜେପି ସରକାରକୁ ଆସିବା ମାତ୍ରେ ସୁଜାତା ନିଜ ପିଲାଙ୍କ ଯତ୍ନ ନେବା କାରଣ ଦର୍ଶାଇ ତୁରନ୍ତ ଛଅ ମାସ ଛୁଟିରେ ଯିବାକୁ ଜୁନ ୬ ତାରିଖରେ ଆବେଦନ କରିଥିଲେ। ସେହି ସମୟରେ ପିଛିଲା ଭାବେ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁରୀ ଦେଇଥିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା।
ଆଜି ସୁଜାତାଙ୍କ ଛଅ ମାସର ଛୁଟି ଅବଧି ପୂରା ହୋଇଛି। କିନ୍ତୁ ପୁଣି ଆଉ ଛଅ ମାସ ଛୁଟି ଦେବାକୁ ସେ ସାଧାରଣ ପ୍ରଶାସନ ବିଭାଗରେ ଆବେଦନ କରିଥିଲେ, ଯାହାକୁ ଅଗ୍ରାହ୍ୟ କରି ଦିଆଯାଇଛି। ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଏହି ଆଇଏଏସ ଅଧିକାରୀ ବୁଧବାର ନିଜ କାର୍ଯ୍ୟରେ ଯୋଗ ଦେଉଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣା ପଡିନି ।
ସୂଚନାଯୋଗ୍ୟ, ବିଜେଡି ସରକାର ଅମଳରେ ମିଶନ୍ତ ଶକ୍ତି ଗଠନ ହୋଇଥିଲା । ଏଥିରେ ଓଡିଶାର ୬ ଲକ୍ଷ ଗ୍ରୁପରୁ ୭୦ ଲକ୍ଷରୁ ଅଧିକ ମହିଳା ସଦସ୍ୟ ରହିଛନ୍ତି । ତେବେ ମିଶନ ଶକ୍ତିର ମହିଳାଙ୍କୁ ବିଜେଡି ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଥିଲା ବିଜେପି । ତାଙ୍କ ସ୍ୱାମୀ ୨୦୦୦ ବ୍ୟାଚର ଆଇଏଏସ ଅଫିସ ରହିଥିବା ଭିକେ ପାଣ୍ଡିଆନ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ । ଆଉ ସେ ନିଜ ପତ୍ନୀ ସୁଜାତାଙ୍କ ଜରିଆରେ ମିଶନ ଶକ୍ତିର ମହିଳା ସଦସ୍ୟଙ୍କୁ ବିଜେଡିକୁ ଭୋଟ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା ।