ବଲାଙ୍ଗିର : ମଦ ନିଶାରେ ହିତାହିତ ଜ୍ଞାନ ହରେଇଲାଣି ମଣିଷ। ବଲାଙ୍ଗିରରେ ଦେଖିବାକୁ ମିଳିଛି କିଛି ଏପରି ଘଟଣା। ମଦ ନିଶାରେ ବାଛୁରୀର ଆଖିକୁ ଫୁଟାଇ କ୍ଷତାକ୍ତ କରିଛି ମଦ୍ଯପ ଯୁବକ। ସର୍ବସାଧାରଣ ସମ୍ମୁଖରେ ତାଡି ଦେଉଥିଲା ବାଛୁରୀ ଆଖି ।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ମାଲପଡ଼ା ରାମ ମନ୍ଦିର ସମ୍ମୁଖରେ ଜଣେ ଦୃବୁର୍ତ୍ତ ନିଶାଖୋର ଅବସ୍ଥାରେ ବୁଲୁଥିଲା । ରାମ ମନ୍ଦିର ନିକଟରେ ଗାଈମାନେ ଶୋଇଥିବା ବେଳେ ତାଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା ଏବଂ ଏକ ଲୁହା ରଡ଼ ଧରି ଏକ ବାଛୁରୀର ଆଖିକୁ ତାଡି ଦେଇଥିଲା । ଗାଇଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଦୁଃଖର କଥା ଯେ ଏଭଳି ଅମାନୁଷିକ କାଣ୍ଡ ସେ ସର୍ବ ସମ୍ମୁଖରେ କରିଛି । ଏହା ଦେଖି ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତାକୁ ଧରି ପିଟିବା ସହ ପୁଲିସ ରେ ଜୀମା ଦେଇଥିଲେ । ପଶୁପ୍ରେମୀ କାହ୍ନା ଶତପଥୀ ଙ୍କ ସହିତ କିଛି ପଡ଼ାବାସୀ ଆହତ ବାଛୁରୀକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରିଥିଲେ। ତେବେ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ବଲାଙ୍ଗିର ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ମଣିଷ ସାଙ୍ଗରେ ଏବେ ପଶୁ ମାନଙ୍କ ଜୀବନ ବି ବିପଦରେ ପଡ଼ିଛି ।