ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପ୍ରତି ଅସମ୍ମାନ, ବିକୃତ କରାଯାଉଛି ମହାପୁରଷଙ୍କ ନାଁ । ନବ ଓଡ଼ିଶାର ବିନ୍ଧାଣୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତବଙ୍କ ନାମଲେଖାରେ ହୋଇଛି ତ୍ରୁଟି । ମହତବ ବଦଳରେ ଲେଖା ହୋଇଛି ମହାନ୍ତି ।
ରିପୋର୍ଟ ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ସହରର ସରକାରୀ ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ରାସ୍ତାକଡ଼ ପାଚେରିରେ ସୌନ୍ଦର୍ଯ୍ୟକରଣ ପାଇଁ ଓଡ଼ିଶାର ବିଭିନ୍ନ ପ୍ରବାଦ ପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ସ୍ଥାନୀତ କରାଯାଇଛି । ଚିତ୍ରିତ ହୋଇ ଥିବା ଛବି ମଧ୍ୟରୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତବଙ୍କ ଛବିରେ ତାଙ୍କ ନାମରେ ମହତବ ବଦଳରେ ମହାନ୍ତି ଲେଖା ହୋଇଥିଲା । ସେହିଭଳି ଭଦ୍ରକ ସହରର ବନ୍ତ ଛକ ରାସ୍ତାକଡ଼ ପାଚେରିରେ ମଧ୍ୟ ବିଭିନ୍ନ ମହାପୁରୁଷ ଚିତ୍ରିତ ଛବି ମଧ୍ୟରୁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ନାମକୁ ଭୁଲ ଭାବେ ବାଞ୍ଛାନିଧି ଦାସ ବୋଲି ଲେଖାଯାଇଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ କିଛି ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ସଦସ୍ୟଙ୍କ ଦ୍ୱାରା ଏହି ତ୍ରୁଟି ସଂଶୋଧନ କରାଯାଇଥିଲା।
ସେପଟେ ଫେବ୍ରୁଆରୀ ୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ । ଏହି ସମ୍ମିଳନୀର ଶୁଭାରମ୍ଭ ବେଳେ ସାହିତ୍ୟିକ ସାକ୍ଷାତ ଘୋଷଣା କରୁଥିବାବେଳେ ଉପସ୍ଥାପିକା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ବୋଲି ଉଚ୍ଚାରଣ କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରାଯାଉ ଥିବା ବେଳେ ଅନ୍ୟ ପଟେ ଓଡ଼ିଆ ଉଚ୍ଚାରଣ ଏବଂ ଲେଖାରେ ହେଉଛି ତ୍ରୁଟି ଯାହା ଏକ ଲଜ୍ୟାକର ବିଷୟ ।
ଅଧିକ ପଢନ୍ତୁ : ତାତୁଛି ଓଡ଼ିଶା...