ଆଳୁ ଖୋଳୁ ଖୋଳୁ ମହାଦେବ ବାହରିବା ଭଳି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ବାଲେଶ୍ୱର ଟାଉନ ଥାନା ପୋଲିସ ଏକ ଘରୋଇ ହିଂସା ମାମଲାର ଯାଞ୍ଚ କରୁଥିବା ବେଳେ ଘରୁ ହରିଣ ଚମଡା , ଏୟାରଗନ, ଗୁଳି ଆଦି ଜବତ କରିଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ, ବାଲେଶ୍ୱର ଥାନା ଅନ୍ତର୍ଗତ ବାରବାଟି ଅଞ୍ଚଳର ମୁକ୍ତି ରଣାଙ୍କ ସ୍ତ୍ରୀ ପ୍ରିୟଙ୍କା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ମାନସିକ ଆଉ ଶାରୀରିକ ନିର୍ଯାତନା ଦେଉଛନ୍ତି ଏମିତିକି ଏକ ଏୟାରଗନ ସାହାଯ୍ୟରେ ଅତି ନିକଟରୁ ଗୁଳି ଫୁଟାଇ ଡ଼ରାଇବାକୁ ଚେଷ୍ଟା ବି କରିଛନ୍ତି ଯେଉଁଥିରୁ ପ୍ରିୟଙ୍କା ଅଳ୍ପକେ ବର୍ତ୍ତିଯାଇଥିଲେ । ଅଭିଯୋଗ କୁ ଆଧାର କରି ପୋଲିସ ଘଟଣାର ଯାଞ୍ଚ କରିବା ନିମନ୍ତେ ମୁକ୍ତିଙ୍କ ଘରକୁ ଯାଇଥିଲା । ହେଲେ ସେଠାରେ ସ୍ୱାମୀ ସ୍ତ୍ରୀଙ୍କ କଳିର ସମାଧାନ କରିବ କଣ ଓଲଟା ସେଠାରୁ ୨ଟି ହରିଣ ଚମଡା, ୫ଟି ଏୟାରଗନ୍, ୨୩ ବାକ୍ସ ପେଲେଟ ଗୁଳି, ୨୧ଟି କ୍ୟାଟ୍ରିଜ, ୬ଟି ଖୋକା ଓ ୬ଟି ତୀର ଜବତ କରିବା ସହିତ ମୁକ୍ତି କୁ ଗିରଫ କରିଥିଲା । ତେବେ ମୁକ୍ତି ପାଖରେ ଥିବା ହରିଣ ଛାଲ କେବେ ଓ କେମିତି ଆସିଲା, ଅନ୍ୟ କୌଣସି ଶିକାରୀଙ୍କ ସହ ତାର ସମ୍ପର୍କ ରହିଛି କି ନାହିଁ ଏବଂ ଅନ୍ୟାନ ବିଷୟରେ ଯାଞ୍ଚ କରୁଛି ପୋଲିସ ଏଥି ସହିତ ଏକ ମାମଲା ରଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ଅଧିକ ପଢ଼ନ୍ତୁ : ମୁଁହରେ ସ୍ପ୍ରେ କରି ଦୋକାନୀଙ୍କୁ ଲୁଟିଲେ ଲୁଟେରା