ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରଖି କଟକ ଓ ଭୁବନେଶ୍ବର ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଅଂଶୁଘାତରୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ମଧ୍ୟ ଦିଆଯାଇଛି ।
-ଖରାରେ ବାହାରକୁ ଯାଆନ୍ତୁ ନାହିଁ
-ନିଆଁ ପାଖରେ ବେଶୀ ସମୟ ରୁହନ୍ତୁ ନାହିଁ
-ଦିନ ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ
-ଯଥେଷ୍ଟ ପାଣି ପିଇବା ସହ କାକୁଡି,ତରଭୁଜ, ପଖାଳ ଆଦି ଖାଆନ୍ତୁ
-ସ୍କୁଲ ପିଲାଙ୍କ ପାଇଁ ପାଣିର ଉଚିତ ବ୍ୟବସ୍ଥା କରନ୍ତୁ
-ଛାଇ ସ୍ଥାନରେ ବିଶ୍ରାମ କରନ୍ତୁ ଏବଂ ଓ.ଆର୍.ଏସ୍ ପିଅନ୍ତୁ
-ବାହାରକୁ ଯିବାବେଳେ ଛତା,ଜୋତା,ଓଦା ଗାମୁଛା ଓ ପାଣି ବୋତଲ ବ୍ୟବହାର କରନ୍ତୁ
ରାଜ୍ୟରେ ଅସହ୍ୟ ତାତି ଯୋଗୁ ଭୁବନେଶ୍ୱର ସମ୍ ଡାକ୍ତରଖାନା ପକ୍ଷରୁ ଅଂଶୁଘାତ ସତର୍କତା ପାଇଁ ଏକ ସଚେତନତାର ବାର୍ତ୍ତା ଦିଆଯାଇଛି । ସମ୍ ଡାକ୍ତରଖାନାରେ ନର୍ସିଙ୍ଗ ଡିପାର୍ଟମେଣ୍ଟ ପକ୍ଷରୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ କରାଯାଇଥିବା କାର୍ଯ୍ୟକ୍ରମର ବିଷୟ ଥିଲା ଅଂଶୁଘାତ ଓ ଏହାର ପ୍ରତିରୋଧ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମେଡିକାଲ ସୁପେରିଟେଣ୍ଡେଣ୍ଟ ଡ଼. ପୁଷ୍ପରାଜ ସାମନ୍ତସିଂହାର ଉଦଘାଟନ କରିଥିଲେ। ନର୍ସିଙ୍ଗ ଡିପାର୍ଟମେଣ୍ଟ ପକ୍ଷରୁ ଅଂଶୁଘାତ ସମ୍ପର୍କରେ ଏହି ସଚେତନତା ବାର୍ତ୍ତା ସମ୍ ମେଡିକାଲ ପରିସରରେ ପରିବେଷଣ କରାଯାଇଥିଲା। ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା। ହସ୍ପିଟାଲରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କିୟମାନେ ଏହି ନାଟକକୁ ଉପଭୋଗ କରିଥିଲେ।
ତେବେ ଆଜି ମଧ୍ୟାହ୍ନ ୨ ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ, ଆସନ୍ତାକାଲି ଆହୁରି ବଢ଼ିବ ତାପମାତ୍ରା । ଆସନ୍ତାକାଲି ପାଇଁ ୧୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାଜ୍ୟରେ ବୋହୁଥିବା ହିଟ୍ୱେଭ ସ୍ଥିତିରେ ୩ ଦିନ ପରେ ପରିବର୍ତ୍ତନ ହେବା ନେଇ ସମ୍ଭାବନା ରହିଛି ।