ବିଭିନ୍ନ ଶୈଳୀରେ ସାଇବର ଠକ ସାଧାରଣ ଲୋକଙ୍କୁ ଚୂନ ମାରିଚାଲିଛନ୍ତି ।ଅନେକ ଡିଜିଟାଲ ଆପ ମାଧ୍ୟମରେ ଠକିବାରେ ଲାଗିଛନ୍ତି ସାଇବର ଠକ । ବର୍ତ୍ତମାନ ନୂଆ ଶୈଳୀର ଏକ ସାଇବର୍ ଠକେଇ ସାମ୍ନାକୁ ଆସିଛି। ସାଇବର ଠକଟି ବୁଦ୍ଧିମାନର ସହ ଠକିଛନ୍ତି ଏକ ଯୁବକକୁ । ପ୍ରଥମେ ହ୍ବାଟ୍ସଆପ୍ ମାଧ୍ୟମରେ ଠକ ଜଣକ ଯୋଗାଯୋଗ କରି ୟୁଟ୍ୟୁବ୍ ଭଳି ବିଭିନ୍ନ ସୋସିଆଲ୍ ମିଡ଼ିଆ ଆକାଉଣ୍ଟର ସବ୍ସ୍କ୍ରାଇବର୍ ହେବା ପାଇଁ ଟଙ୍କା ଦେଇ ପ୍ରଲୋଭିତ କରିଥିଲେ। ସାଧାରଣ ଲୋକେ ପ୍ରଲୋଭିତ ହେବା ପରେ ସେଥିରେ ଟଙ୍କା ବାନ୍ଧିଥିଲେ । ଟଙ୍କା ବାନ୍ଧିବାରୁ ଅଧିକ ଫେରସ୍ତ ମଧ୍ୟ ଆସିଲା। ଏଭଳି ବିଶ୍ୱାସ ଜନ୍ମାଇବା ପରେ ଅଧିକ ଟଙ୍କା ବାନ୍ଧିବାକୁ ଉତ୍ସାହିତ କରିଥିଲେ। ସାଇବର ଠକ ବୁଦ୍ଧିମାନର ସହ ଜଣକ ଟେଲିଗ୍ରାମ୍ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସେୟାର୍ କରିଥିବା ବିଭିନ୍ନ ଆକାଉଣ୍ଟକୁ ପ୍ରାୟ ୨୦ଲକ୍ଷ ପଠାଇଲେ ଏବଂ ୨୪ଲକ୍ଷ ଟଙ୍କା ଫେରସ୍ତ ପାଇବାର ପ୍ରଲୋଭନ ଦେଖାଇଥିଲେ। ଅଧିକ ପରିମାଣର ଅର୍ଥରାଶି ଜମା କରିବା ପରେ ଆଉ ଟଙ୍କା ଫେରସ୍ତ ଆସିନଥିଲା। ବ୍ରହ୍ମପୁର ହିଞ୍ଜଳିକାଟୁ ଅଞ୍ଚଳର ଜଣେ ଯୁବକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତାର ମାମଲା ରୁଜୁ କରିଛି ।
ସାଇବର ଠକେଇ ହୋଇଥିବା ଯୁବକଙ୍କ ଘର ବ୍ରହ୍ମପୁରର ହିଞ୍ଜିଳିକାଟୁରେ । ଅଭିଯୋଗ ମୁତାବକ, ଗତ ମାସ ୨୫ତାରିଖରେ ଏକ ଅଜଣା ନମ୍ୱର୍ରୁ ତାଙ୍କ ପାଖକୁ ହ୍ବାଟ୍ସଅପ୍ ମ୍ୟାସେଜ୍ ଆସିଥିଲା। ତାଙ୍କ ପରିଚୟ ଥିଲା ଆନ୍ୟା ପଟେଲ, ଏଲ୍ଭି ମିଡ଼ିଆ କମ୍ପାନି ନାମକ ଏକ ସଂସ୍ଥାର ଏଚ୍ଆର। ତାଙ୍କ କମ୍ପାନୀର କାମ ୟୁ ଟ୍ୟୁବ୍ ଆଦି ସୋସିଆଲ ମିଡ଼ିଆ ଆକାଉଣ୍ଟଧାରୀଙ୍କ ପ୍ରମୋସନ୍ କରୁଛି ବୋଲି ସେ କହିଥିଲେ ଏବଂ ଏକ ଲିଙ୍କ୍ରେ କ୍ଲିକ୍ କରି ଉକ୍ତ କମ୍ପାନି ସହ ଯୋଡ଼ି ହେବାକୁ ଦର୍ଶାଯାଇଥିଲା। ଅଧିକ ଟଙ୍କା ଆଶାରେ ଯୁବକ ଜଣକ ଉତ୍ସାହିତ ହୋଇ ସେଇ ଲିଙ୍କ୍ରେ କ୍ଲିକ୍ କରିବାରୁ ଅଂଶୁ ମେହେଟା ନାମରେ ଏକ ଟେଲିଗ୍ରାମ ଆପ୍ର ପ୍ରୋଫାଇଲ୍ ଖୋଲିଥିଲା। ଗତ ମାସ ୨୫ତାରିଖରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍ସ୍କ୍ରାଇବ୍ କରିବାକୁ ତାଙ୍କ ପାଖକୁ ମ୍ୟାସେଜ୍ ଆସିଥିଲା। ସେ ସବ୍ସ୍କ୍ରାଇବ୍ କରିବା ମାତ୍ରେ ତାଙ୍କ ପାଖକୁ ୧୫୦ଟଙ୍କା ଆସିଲା। ପୁଣି ୨୬ତାରିଖରେ ଆଉ କେତୋଟି ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍ସ୍କ୍ରାଇବ୍ କରିବାରୁ ତାଙ୍କ ପାଖକୁ ୩୨୦ଟଙ୍କା ଆସିଲା। ଏଭଳି ଟଙ୍କାର ପ୍ରଲୋଭନ ଦେଖାଇଥିଲେ ସାଇବର ଠକ । ଲଗାତାର ଟଙ୍କା ଫେରସ୍ତ କରିବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଏକ ଆକାଉଣ୍ଟ ଖୋଲି ସେଥିରେ ଟଙ୍କା ଜମା ପାଇଁ କହିଥିଲେ । ସେ ତାହା କରିବା ପରେ ଯୁବକଙ୍କ ପାଖକୁ ଜମା ଟଙ୍କାଠାରୁ ଅଧିକ ଫେରସ୍ତ ଆସିଥିଲା ।ଏଭଳି କରି ପ୍ରଥମେ ସାଇବର ଠକ ବିଶ୍ୱାସ ଜନ୍ମାଇଥିଲେ । ପରେ ତାଙ୍କୁ ଏକ ୫ ଜଣିଆ ଟେଲିଗ୍ରାମ୍ ଗ୍ରୁପ୍ରେ ଯୋଡ଼ିଥିଲା । ଯୁବକ ଜଣକ ଅଧିକ ଲାଭ ଆଶାରେ ସେଇ ଗ୍ରୁପ୍ରେ ସାଇବର ଠକ ସେୟାର କରିଥିବା ବିଭିନ୍ନ ଆକାଉଣ୍ଟକୁ ୩୯ଥରରେ ମୋଟ ୧୯,୯୭,୫୭୨ଟଙ୍କା ପଠାଇଥିଲେ। ୨୪ଲକ୍ଷ ଟଙ୍କା ଫେରସ୍ତ ପାଇବେ ବୋଲି ସେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦୁର୍ବୃତ୍ତ ଜଣକ ଟଙ୍କା ଲଗାଇଥିବା ଯୁବକଙ୍କୁ ସମସ୍ତ ଗ୍ରୁପରୁ ବାହାର କରି ତାଙ୍କର ଟେଲିଗ୍ରାମ୍ କମ୍ୟୁନିକେସନ୍ ବ୍ଲକ୍ କରି ଦେଇଥିଲା। ଶେଷରେ ହତାଶ ହୋଇ ଯୁବକ ଜଣକ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅଧିକ ପଢନ୍ତୁ :ଜନ୍ମ କରି ନିଜ ଶିଶୁକୁ ମରଣ ମୁହଁକୁ ଠେଲି ଦେଲା ମା