ଭୁବନେଶ୍ୱର: ସମସ୍ତ ମନ୍ତ୍ରୀ ଓ ସଚିବମାନେ ବିଭାଗ ପ୍ରତି ଅଧିକ ଯତ୍ନବାନ ହେବା ସହିତ ଆଗାମୀ ୨ ମାସ ମଧ୍ୟରେ ବଜେଟ ପୂର୍ବରୁ ବିଭାଗମାନେ ଶତ ପ୍ରତିଶତ ଖର୍ଚ୍ଚ ଲକ୍ଷ୍ୟ ହାସଲ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ ଚିରା ଚରିତ ଢାଞ୍ଚାରୁ ବାହାରି ଦୀର୍ଘ ସୂତ୍ରୀ ଏବଂ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି । ବିଭାଗଗୁଡ଼ିକୁ ଶକ୍ତି ଶାଳୀ କରିବା ସହିତ ଜନାଭିମୁଖୀ କାର୍ଯ୍ୟକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ମନ୍ତ୍ରୀ ପରିଷଦର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ବିଭାଗ ଗୁଡ଼ିକର କାର୍ଯ୍ୟ ସମୀକ୍ଷା ମୁଖ୍ୟମନ୍ତ୍ରୀ । ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନାଭିମୁଖୀ କାଯ୍ୟକ୍ରମଗୁଡି଼କୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ବୈଠକ ରେ ବଜେଟ ୨୦୨୪-୨୫ ମୁତାବକ ଅଦ୍ୟାବଧି ହୋଇଥିବା ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ l ଯେଉଁ ସବୁ ବିଭାଗରେ ଅଦ୍ୟାବଧି ଖର୍ଚ୍ଚ କମ ହୋଇଛି, ସେହିସବୁ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରି ଆଗାମୀ ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଉନ୍ନତି, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା l
ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ତରଫରୁ ରାସ୍ତା ଓ ସେତୁ ନିର୍ମାଣର ଅଗ୍ରଗତି ସହ ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା l କୃଷି ବିଭାଗ ତରଫରୁ ଶୀତଳ ଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରା ଯାଇଥିଲା l
ବିଦ୍ୟାଳୟ ଉନ୍ନତିକରଣ, ଜଳସମ୍ପଦ ବିଭାଗ ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି, ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସହିତ ଆଗାମୀ ୨ୟ କିସ୍ତି ପ୍ରଦାନ ସମ୍ପର୍କିତ ଆଲୋଚନା କରାଯାଇଛି । ସେହିପରି ପୁଲିସ ସେବା ସୁଦୃଢ଼ୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି l
ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ପାଇଁ ୩ ଲକ୍ଷ ୨୦, ହଜାର ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମେ ସେଥିରୁ ଭଲ ଭଲ ପ୍ରସ୍ତାବ ଗୁଡି଼କୁ ଗ୍ରହଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ଉତ୍କର୍ଷ ଓଡ଼ିଶା ଆୟୋଜନ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତିଶ୍ରୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ l
ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସମସ୍ତ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ l