ଭୁବନେଶ୍ୱର: ରାସନକାର୍ଡକୁ ନେଇ ଦିନକୁ ଦିନ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ରାସନକାର୍ଡରେ ୪୦ ଲକ୍ଷ ଭୂତ ହିତାଧିକାରୀ ଥିବା ମନ୍ତ୍ରୀ କହିଥିଲେ । ଏହି ରାସନକାର୍ଡକୁ ବଡ଼ ବଡ଼ୁଆ ଅଧିକାରୀମାନେ ହାତେଇଥିବା ମଧ୍ୟ ଜଣାପଡ଼ିଛି । ଖୋଦ ବିଭାଗୀୟ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଓଏଏସ ଅଫିସ, ଡାକ୍ତର ଓ ଅଧ୍ୟାପକ ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଇ-କେୱାଇସି ଯାଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍ ଲଗାଇବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯେଉଁଦିନଠାରୁ ରାସନକାର୍ଡ ନେଇଥିବେ ସେହିଦିନଠାରୁ ଫାଇନ୍ କରି ଆଦାୟ କରାଯିବ ଏବଂ ହିସାବ କରି ସବୁ କାର୍ଡକୁ ରିକଭର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ଆୟକରଦାତା ରାସନକାର୍ଡ ହାତେଇଛି । ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ପୂରା ତଥ୍ୟ ଆସିବା ପରେ ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।