ନୂଆପଡ଼ା: ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୋଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଆଜି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟ ବେଳେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି ।