ଭୁବନେଶ୍ୱର : ଶିକ୍ଷାନୀତିରେ ଆସିଲା ନୂଆ ନିୟମ। ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ଯାଇ ଅଭିଭାବକ ମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ଏ ନେଇ ସୋମବାର ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିକଟରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେଣୁ ୨୦୨୫-୨୬ ଶିକ୍ଷାବର୍ଷରେ ନାମ ଲେଖା ଲାଗି ସରକାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ସେମାନଙ୍କ ଲାଗି ସର୍ବନିମ୍ନ ବୟସ ୬ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବା ଆବଶ୍ୟକ। ତେବେ ୨୦୨୪ ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷ ହୋଇଥିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରତି ବିଦ୍ୟାଳୟରେ ଶିଶୁ ବାଟିକା ଖୋଲାଯିବ। ଏହି ଶିଶୁ ବାଟିକା ପାଇଁ ପିଲାଙ୍କର ବୟସ ୫ରୁ ୬ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଯେଉଁଥିରେ ପିଲାମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ନେଇ ସ୍ବଳ୍ପ ଖେଳ କୁଦ, ମାନସିକ ଭାବେ ପାଠ ପଢିବାକୁ ପ୍ରସ୍ତୁତ କରାଯିବ।