ନୂଆଦିଲ୍ଲୀ: ଆମେରିକାର ନୂତନ ରାଷ୍ଟ୍ରପତିଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ୱାଶିଂଟନ୍ ଡିସିରେ ସଂସଦ ଭବନ ପରିସରରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ସୋସିଆଲ୍ ମିଡ଼ିଆ ଏକ୍ସ ଜରିଆରେ ସ୍ୱାଗତ ଜଣାଇଛନ୍ତି ।
ମୋଦୀ କହିଛନ୍ତି, “ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଐତିହାସିକ ଶପଥ ଗ୍ରହଣ ପାଇଁ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ! ଉଭୟ ଦେଶର ଲାଭ ପାଇଁ ଏବଂ ବିଶ୍ୱର ଏକ ଉନ୍ନତ ଭବିଷ୍ୟତ ଗଠନ ପାଇଁ ପୁଣି ଥରେ ଏକାଠି କାମ କରିବାକୁ ମୁଁ ଅପେକ୍ଷା କରିଛି । ଆଗାମୀ କାର୍ଯ୍ୟକାଳର ସଫଳ କାମନା କରୁଛି!”
ଆମେରିକାର ୪୭ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଜେ ଟ୍ରମ୍ପ । ସେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି । ପ୍ରବଳ ଶୀତ ଲହରି ଓ ତୁଷାରପାତ ଯୋଗୁଁ ସଂସଦ ଭବନ ପରିସରରେ ଟ୍ରମ୍ପଙ୍କ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ ଟ୍ରମ୍ପଙ୍କୁ ଶପଥପାଠ କରାଇଛନ୍ତି । ଉପ ରାଷ୍ଟ୍ରପତିଭାବେ ଜେଡୀ ବେଂସ୍ ମଧ୍ୟ ଶପଥ ନେଇଛନ୍ତି ।
ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ ସଂସଦ ଭବନ ପରିସରରେ ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବ ହୋଇଛି । ଏଥିରେ ବହୁ ଦିଗ୍ଗଜ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗ, ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ପ୍ରମୁଖ ସାମିଲ ହୋଇଛନ୍ତି । ଏହି ଶପଥ ଉତ୍ସବରେ ଅନେକ ଦେଶର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଛନ୍ତି । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସାମିଲ ହୋଇଥିଲେ ।
ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ଭାଷଣରେ ସମ୍ବୋଧନ କରି କହିଛନ୍ତି, 'ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ।' ଆମେ ଆମର ସାର୍ବଭୌମତ୍ୱ ବଜାୟ ରଖିବୁ । ଦୁନିଆ ଆମକୁ ବ୍ୟବହାର କରିପାରିବ ନାହିଁ । ଆମେରିକାରେ ଆଉ କୌଣସି ଅନୁପ୍ରବେଶ ହେବ ନାହିଁ ।