ସାଧାରଣ ନିର୍ବାଚନ ୨୦୨୪ପାଇଁ ଆସନ୍ତା ମେ ୧୩ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଛି ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମାନେ ବିଧିବଦ୍ଧ ଭାବେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ମେ ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲାର ୯୯୩ ଟି ବୁଥରେ ହେବ ମତଦାନ । ସେଥି ମଧ୍ୟରୁ ୬୨ ଟି ବୁଥରେ ମତଦାନ ସମୟ ପରିବର୍ତ୍ତନ ନେଇ ନବରଙ୍ଗପୁର ଜିଲ୍ଲାପାଳ ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ସୂଚନା ଦେଇଛନ୍ତି । ନିର୍ବାଚନ ପରିଚାଳନାଗତ ଅସଙ୍ଗତି ଦୂର କରି ବ୍ୟବସ୍ଥାଗତ ଶୃଙ୍ଖଳା ଆଣିବା ଉଧ୍ୟଷ୍ୟ ନେଇ ଏହି ସମୟ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳ କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି ।
ତେବେ ସମୟ ପରିବର୍ତ୍ତନ କରାଯାଇ ୬୨ ଟି ବୁଥରେ ସକାଳ ୭ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟ ୯୩୧ ଟି ବୁଥରେ ପୂର୍ବ ନିର୍ଧାରତ ସକାଳ ୭ ରୁ ସନ୍ଧ୍ୟା ୬ ଟା ଯାଏଁ ମତଦାନ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମୟ ପରିବର୍ତ୍ତନ ହୋଇଥିବା ବୁଥ ଗୁଡିକ ମଧ୍ୟରୁ ଉମରକୋଟ ବିଧାନସଭା ମଣ୍ଡଳୀରେ ୨୨ , ଝରିଗାଁ ରେ ୨୬ ନବରଙ୍ଗପୁର ରେ ୧୦ ଓ ଡାବୁଗାଁ ବିଧାନସଭା ମଣ୍ଡଳି ରେ ୪ ଟି ବୁଥ ରହିଛି । ଜିଲ୍ଲାରେ ୮ ଲକ୍ଷ ୫୦ ହଜାର ୮୫୩ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜିଠାରୁ ଅର୍ଥାତ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ, ଆସନ୍ତା ୨୬ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ମହେଶ୍ୱର ନାୟକ(ସାଧାରଣ), ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାୟକ(ରାଜସ୍ୱ), ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ପ୍ରକାଶ କୁମାର ମିଶ୍ର, ସହକାରୀ ଜିଲାପାଳ (ନିର୍ବାଚନ) ପି.ମନୋସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ : ମହାନଦୀରେ ବୁଡ଼ିଲା ଡ଼ଙ୍ଗା : ଯାତ୍ରୀ ନିଖୋଜ