ମଝି ରାସ୍ତାରେ ଓଲଟିଲା ଅଟୋ । ପ୍ରାର୍ଥିପତ୍ର ଦାଖଲରେ ସାମିଲ ହେବା ପାଇଁ ଏକ ଅଟୋରେ ଯାଇଥିଲେ ୧୦ ଜଣ ବ୍ୟକ୍ତି । ଘରକୁ ଫେରିଲା ବେଳେ ଓଲଟିଲା ଅଟୋ । ଏହି ଦୁର୍ଘଟଣା ଫଳରେ ୧୦ ଜଣ ବ୍ୟକ୍ତି ଆହତ ହୋଇଯାଇଛନ୍ତି। ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ ।
ସୂଚନା ଅନୁଯାୟୀ,ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନମଣ୍ଡଳୀର ସିପିଆଇଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ ସାମିଲ ହେବା ପାଇଁ ୧୦ରୁ ଅଧିକ ଲୋକ ଏକ ଅଟୋରେ ଆସିଥିଲେ। ପ୍ରାର୍ଥୀପତ୍ର ଦାଖଲ ପରେ ଅଟୋରେ ଯାଇଥିବା ବ୍ୟକ୍ତିମାନେ ଘରକୁ ଫେରୁଥିଲେ । ଅଟୋଟି ଲହୁଣୀପଡ଼ା ଥାନା ଗୁଡ଼ିଆଳି ଗାଁ ନିକଟରେ ଯାଉଥିବା ସମୟରେ ଭାରସାମ୍ୟ ହରାଇଥିଲା ।
ଏହାପରେ ରାସ୍ତା ମଝିରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ତେବେ ଆହତଙ୍କ ମଧ୍ୟରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।
ଅଧିକ ପଢନ୍ତୁ :ଚିତ୍ରୋତ୍ପଳା ନଦୀରେ ବୁଡି ଯୁବକ ମୃତ