ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି(ଏସଜେଟିଏ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ମିଳିଲା ଦାୟିତ୍ୱ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ନୂଆଦିଲ୍ଲୀସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତ ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।
ସୂଚନା ଅନୁଯାୟୀ ପୂର୍ବରୁ ଦିଆଯାଇଥିବା ଚିଠିକୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ସଂଶୋଧନ ପରେ ମନୋଜ ଆହୁଜା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ପୂର୍ବ ଚିଠିରେ ଜି.ଏ କମିଟି ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲା। ହେଲେ ଏହି ଖବର ପରେ ସେବାୟତଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଥିଲା। କାରଣ ନିୟମ ଅନୁସାରେ, ଗଜପତି ମହାରାଜ ପରିଚାଳନା କମିଟି ଅଧ୍ୟକ୍ଷ ରହିପାରିବେ। ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିବା ପରେ ଚିଠି ବଦଳାଇଛି ସାଧାରଣ ପ୍ରଶାସନ ବିଭାଗ। ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିବା ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ନୂଆ ସରକାର ଆସିବା ପରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିଥିଲା । ଜୁଲାଇ ୧ରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ମିଳିଥିଲା । ସେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୭ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ମନୋଜ ଆହୁଜାଙ୍କର ମାତ୍ର ୬ ମାସ କାର୍ଯ୍ୟକାଳ ଥିବା ସତ୍ୱେ ତାଙ୍କୁ ଏହି ପଦ ମିଳିଥିଲା । ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା । ମାତ୍ର ଏହା ପୂର୍ବରୁ ଆହୁଜାଙ୍କ କାର୍ଯ୍ୟକାଳକୁ ଆଗାମୀ ଏକ ବର୍ଷ ପାଇଁ ବର୍ଦ୍ଧିତ କରାଯାଇଥିଲା ।