ଭୁୁବନେଶ୍ୱର: ଓଡିଶା ପ୍ରତି ପୁଞ୍ଜିନିବେଶକାରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ଏହା ପ୍ରଥମ ବିଦେଶ ଗସ୍ତ । ସେ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ ଯିବେ। ଉତ୍କର୍ଷ ଓଡ଼ିଶା, ମେକଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ସେଠାରେ ହେବ ରୋଡ୍ ଶୋ’।
ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯୋଗଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ସିଙ୍ଗାପୁର ଗସ୍ତରେ ଯିବେ। ଏଥିସହ ଓଡ଼ିଶାରେ ବ୍ୟବସାୟିକ ସଂପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ। ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତମାସରେ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ରୋଡ୍ ସୋ’ ଆୟୋଜନ କରାଯାଇଛି।
ଏହା ପୂର୍ବରୁ ଆସନ୍ତାକାଲି ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ୩୨ ତମ କେନ୍ଦ୍ରୀୟ ହିନ୍ଦୀ ସମିତି ବୈଠକରେ ଯୋଗଦେବେ। ଏହି ବୈଠକ ଦିଲ୍ଲୀରେ ସୁଷମା ସ୍ୱରାଜ ଭବନରେ ଅନୁଷ୍ଠିତ ହେବ। ସୋମବାର ଦିନ ୧୨ଟା ୪୫ ମିନିଟରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏହାପରେ ବୈଠକରେ ଅପରାହ୍ନ ୪ଟାରେ ଯୋଗଦେବେ। ପୁଣି ୫ ତାରିଖ ଓଡିଶା ଫେରି ଆସିବେ ।