ଭୁବନେଶ୍ବର: ପୁଣି ରାଜ୍ୟକୁ ଫେରିଛି ଶୀତ । ପ୍ରବଳ ଜାଡରେ ଥରୁଛି ପୂରା ଓଡିଶା । ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ୍ ଯାଏ ଖସିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆଗାମୀ ଦିନରେ ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ପାରଦ ୧୦ ଡିଗ୍ରି କିମ୍ବା ତା’ଠୁ ଆହୁରି କମିବା ସମ୍ଭାବନା ରହିଛି।
ଘୁ ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଆଜି ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରହିଥିଲା। କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି।
ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡି ହୋଇପାରେ। ଫଳରେ ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି।