ଭୁବନେଶ୍ଵର: ଯେଉଁମାନେ ପୂର୍ବରୁ ଦାୟିତ୍ବ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ । ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି । ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାଓ୍ବାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି । ସ୍ବାଧୀନତା ସଂଗ୍ରାମ ମହେୋତ୍ସବ ମଞ୍ଚରୁ ନାଁ ନନେଇ ନବୀନ ପଟ୍ଟନାୟକଙ୍କୁ ଏମିତି ଟାର୍ଗେଟ୍ କରିଛନ୍ତି ମୋହନ ମାଝୀ। ସେ କହିଛନ୍ତି ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ନିକଟରେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯେଉଁମାନଙ୍କୁ ଲମ୍ବା ସମୟ ଧରି ଓଡ଼ିଶାବାସୀ ଶାସନର ସୁଯୋଗ ଦେଇଥିଲେ ଆଜି ସେଇମାନେ ବିଜେପି ସରକାରର କାର୍ଯ୍ୟଧାରା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାଓ୍ବାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି ।
କେବଳ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନୁହେଁ ସଭା ମଞ୍ଚରେ ବସିଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି କହିବା ଠିକ୍ ହେଲାନାହିଁ । ଏଥି ପାଇଁ ଦାୟୀ କିଏ ? ତାହାର ଉତ୍ତର ବି ଆସିବା କଥା । ପ୍ରକୃତରେ ଯଦି ଓଡ଼ିଶାକୁ ଆଗକୁ ନେବାର ଥିଲା, ତେବେ ଆଜି ପର୍ଯ୍ୟନ୍ତ ଅନେକ ଥର ଲୋକମାନେ ଦାୟିତ୍ବ ଦେଇଥିଲେ । କିନ୍ତୁ ରାଜ୍ୟକୁ କିଏ ଏଭଳି ସ୍ଥିତିରେ ପହଞ୍ଚାଇଛି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ ଆହୁରି ବି କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ଆଜି ଓଡ଼ିଶାରେ ବିଜେପି ସରକାର ହୋଇଛି । ୬ମାସରେ ଯାହା କଥା ଦେଇଥିଲୁ ତାହା ପୂରଣ କରିଛୁ । ଆଜି ମନ୍ତ୍ରୀମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି । ଦାନା ବାତ୍ୟା ବେଳେ ମନ୍ତ୍ରୀମାନେ ଗ୍ରାଉଣ୍ଡରେ ଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ର ଜବାବ୍ ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା ।
ସେପଟେ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିରେ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ପାଣିପାଗ ନେଇ ସମୟ ପୂର୍ବରୁ ସଚେତନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଉପଯୁକ୍ତ ତଦନ୍ତ ସହ ଚାଷୀଙ୍କୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ନବୀନ ପଟ୍ଟନାୟକ । ଫସଲ ନଷ୍ଟ ପାଇଁ ଚାଷୀ ଯେମିତି ଆତ୍ମହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ନବୀନ ।