ପୁରୀ: ଆଜି ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକ। ଏହି ବୈଠକରେ ଚନ୍ଦନଯାତ୍ରାର ସମ୍ପୂର୍ଣ ବିବରଣୀ ବାବଦରେ ଆଲୋଚନା କରାଯିବ। ତେବେ ଚଳିତମାସ ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡୁଛି। ତେଣୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହି ଉପଲକ୍ଷେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ଚନ୍ଦନଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହେବ। ସେହିପରି ଭକ୍ତମାନେ କିଭଳି ସୁରୁଖୁରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ। ନୀତିନିର୍ଘଣ୍ଟ ଅନୁଯାୟୀ କେତେଟାରୁ ସିଂହଦ୍ଵାର ଫିଟାଯାଇ ଅନ୍ୟାନ୍ୟ ନୀତି ବଢିବା ପରେ ଅକ୍ଷୟ ତୃତୀୟା ଦିନ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ବିମାନକୁ ଦିଅଁ ବିଜେ, ରଥ ଆଜ୍ଞାମାଳ ବିଜେ ଓ କେଉଁ ସମୟରେ ବିମାନ ଉଠିବ ତାହା ବୈଠକରେ ଚୂଡାନ୍ତ ହେବ।