ଏଥର ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟ ଜିଲ୍ଲାର କଳାଜିରା ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗ। ସେଥିପାଇଁ ଶ୍ରୀକ୍ଷେତ୍ର ଯାଇଛି ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ। ନିକଟରେ ଜିଆଇ ଟ୍ୟାଗ୍ ହାସଲ କରିଥିବା କୋରାପୁଟ ଜିଲ୍ଲାରେ ଉତ୍ପାଦିତ କଳାଜିରା ଚାଉଳକୁ ପୁରୀ ଜଗନ୍ନାଥ ମନ୍ଦିରରେ ଭୋଗ ଲାଗି ପାଇଁ ପଠାଯାଇଛି। ଏହାକୁ ଜଗନ୍ନାଥ ମନ୍ଦିର ପ୍ରାସାଦରେ ବ୍ୟବହାର ପାଇଁ ୧୨ ଜଣିଆ ଦଳ ମହାପ୍ରଭୁଙ୍କ ପାଖରେ ଅର୍ପଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ, କୋରାପୁଟର ୧୨ଜଣିଆ ଆଦିବାସୀ ମହିଳା ଦଳ ଶାବର ଶ୍ରୀକ୍ଷେତ୍ର କୋରାପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଗତି ଓ ଜୈବିକଶ୍ରୀ କମ୍ପାନି ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଶାବରମତି, ଡ. ରଞ୍ଜିତା ପୁଷ୍କର, ପ୍ରଗତି ସମ୍ପାଦକ ପ୍ରଭାକର ଅଧିକାରୀ, ସିଇଓ ଲୁନା ପଣ୍ଡା, ଜୈବିକଶ୍ରୀ ସିଇଓ ମୁରଲୀଧର ଅଧିକାରୀ, ଏମ୍ଡି ସୁରେନ୍ଦ୍ର ମସ୍ତି, ଅଞ୍ଜନିତା ଅଧିକାରୀ, ପ୍ରଦୀପ୍ତ ସାହୁ, କୌସ୍ତୁବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତମାନର ହୋଇଥିବା ହେତୁ ଶ୍ରୀମନ୍ଦିର ରୋଷଶାଳରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଅଗଣିତ ଚାଷୀ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି। ବିଶେଷ କରି ଖିରି ଓ ବିରିୟାନି ପାଇଁ ଏହି ଚାଉଳ ପୂର୍ବରୁ ବହୁଳ ଭାବେ ବ୍ୟବହାର ହେଉଥିଲା ବେଳେ ଏହି କିସମ ଧାନ ଚାଷ ପ୍ରାକୃତିକ ଦୁର୍ବିପାକ ସହ୍ୟ କରିବାର କ୍ଷମତା ରଖିଛି। ୧୪୦ରୁ ୧୫୫ଦିନ ମଧ୍ୟରେ ଏକର ପିଛା ୫ରୁ ୧୦କୁଇଣ୍ଟାଲ ପର୍ଯ୍ୟନ୍ତ ଏହିଁ ଚାଉଳ ଅମଳ ହୋଇଥାଏ। କଳାଜିରା କୋରାପୁଟ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ମହାପ୍ରଭୁଙ୍କ ସେବାରେ ଲାଗିବା ଦ୍ୱାରା ଆଧ୍ୟାତ୍ମିକ ଉପଲବ୍ଧି ବୃଦ୍ଧି ପାଇବ ବୋଲି ବୋଲି ମତପ୍ରକାଶ ପାଇଛି।
ତେବେ କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୧୮୦୦ରୁ ଅଧିକ ଚାଷୀ କଳାଜିରା ଧାନ ଚାଷ କରୁଛନ୍ତି। ବିଶେଷ କରି ଆଦିବାସୀ ମହିଳା ଚାଷୀ ଏହି ପାରଂପରିକ ଧାନକୁ ଚାଷ କରୁଛନ୍ତି। ସ୍ବତନ୍ତ୍ର କିସମ ହୋଇଥିଲେ ସୁଦ୍ଧା ଧାନ ଚାଷ ସଂପର୍କିତ ଐତିହାସିକ ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନି। କମ ଉତ୍ପାଦନ ଓ ଅଧିକ ସମୟ ନେଉଥିବାରୁ ସମୟକ୍ରମେ ଏହି ଧାନ ଚାଷ କରିବାକୁ ଚାଷୀ ବିମୁଖ ହୋଇଥିଲେ। ତେଣୁ ସଂରକ୍ଷଣ କରି ରଖିବା ବଡ଼ ଚ୍ୟାଲେଞ୍ଜ ହୋଇଥିଲା। କିନ୍ତୁ ଗତ କିଛି ବର୍ଷରେ ବିଶ୍ବ ବଜାରରେ ଏହି ଚାଉଳର ଚାହିଦା ବଢ଼ିବା ପରେ କୋରାପୁଟ ଜିଲ୍ଲାର ଅର୍ଥନୀତିକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ : ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ୧୮ ଆହତ