ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ଉପରେ ଛିଡା ହୋଇଥିବା ଏକ ବସକୁ ହାଇୱା ଧକ୍କା ଦେବାରୁ ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । କଲିକତା ଚେନ୍ନାଇ ୧୬ ନଂ ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ବସଟି ରାୟଗଡ଼ା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଆହତ ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ ।
ମିଳିଥିବା ତଥ୍ୟ ଅନୁଯାୟୀ, ଗୁରୁବାର ରାତିରୁ ରାୟଗଡା ଜିଲ୍ଲା ଗୁଡାରି ଏନଏସିରୁ ୪୨ ଜଣ ଯାତ୍ରୀଙ୍କୁ ନେଇ ଏକ ବସ ପୁରୀ ଅଭିମୁଖେ ବାହାରିଥିଲା । ଆଜି ସକାଳୁ ଯାତ୍ରୀ ମାନେ ଶୌଚ ହେବା ପାଇଁ ବସଟି ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଅଟକିଥିଲା । କିଛି ଯାତ୍ରୀ ଗାଡିରୁ ଓହ୍ଲାଇଥିଲେ ଏବଂ କିଛି ବସ ଭିତରେ ବସିଥିଲେ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ବସକୁ ପଛପଟୁ ଧକ୍କା ଦେଇଥିଲା । ଏନେଇ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଆହତ ଅବସ୍ଥାରେ ଥିବା ୧୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି।ଦୁର୍ଘଟଣାରେ ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ତେବେ ଡ୍ରାଇଭରକୁ ଧରିବାରେ ପୋଲିିସ ସଫଳ ହୋଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି।
ଅଧିକ ପଢନ୍ତୁ : ଶିମିଳିପାଳ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ