ବନ ବିଭାଗକୁ ମିଳିଛି ସଫଳତା। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତେବେ ଶିକାର ପାଇଁ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ଏଥି ସହିତ ତାଙ୍କ ନିକଟରୁ ବିଭିନ୍ନ ଧରଣର ମାରଣାସ୍ତ୍ର ଜବତ କରିବା ସହ ହରିଣ ଓ ସମ୍ବର ଶିଙ୍ଗ ଜବତ କରିଛି ବନବିଭାଗ ।
ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଅଞ୍ଚଳରେ ପାଞ୍ଚ ଜଣ ଶିକାରୀ ଶିକାର କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ । ପାଞ୍ଚ ଜଣ ଶିକାରୀ ବିଭିନ୍ନ ମାରଣାସ୍ତ୍ର ନେଇ ଶିମିଳିପାଳର କୋର ଏରିଆକୁ ଯାଇଥିବାର ଖବର ବନବିଭାଗକୁ ହସ୍ତଗତ ହେବାପରେ ଏନେଇ କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମରେ STPF ଓ ଜଏଣ୍ଟ ଟାସ୍କ ଫୋର୍ସ (JTF), କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀଙ୍କ ସହ କେନ୍ଦୁମୁଣ୍ଡି, ଗୁଡୁଗୁଡିଆ, କରଞ୍ଜିଆ, ଦୁଧିଆଣୀ ରେଞ୍ଜର ବନ କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ ସାମିଲ ହୋଇ ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଏରିଆରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ତେବେ ଏହି ଚଢ଼ାଉ ବେଳେ ସମସ୍ତ ପାଞ୍ଚ ଜଣ ଶିକାରୀ ଓ ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ଦୁଇଟି ଧନୁ, ୨୩ଟି ତୀର, ଗୋଟିଏ କୁରାଢ଼ୀ, ଗୋଟିଏ ଟାଙ୍ଗିଆ, ଗୋଟିଏ କଟୁରୀ, ଦୁଇଟି ଛୁରି, ପ୍ଲାଷ୍ଟିକ ଜାଲ ଜବତ କରାଯାଇଛି । ଗିରଫ ହୋଇଥିବା ପାଞ୍ଚ ଜଣ ଶିକାରୀ ହେଲେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମର ସାଲଖାନ ହେମ୍ବ୍ରମ, ଲାଲ ମୋହନ ହାଁସଦା, ବିରସିଂ ହେମ୍ବ୍ରମ, ମଧୁସୂଦନ ମୁର୍ମୁ ଓ ବଳରାମ ସୋରେନ। ଏଥି ସହିତ ସେମାନଙ୍କ ନିକଟରୁ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ସମ୍ବର ଶିଙ୍ଗ ମଧ୍ୟ ଜବତ କରିଛି ବନବିଭାଗ। ତେବେ ଉକ୍ତ ଶିକାରୀ ମାନଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି ବନବିଭାଗ। ବନବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପରେ ଏକ ମାମଲା ରୁଜୁ କରାଯାଇ ପାଞ୍ଚ ଜଣ ଶିକାରୀଙ୍କୁ କରଞ୍ଜିଆ ଏସଡିଜେଏମ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅଧିକ ପଢନ୍ତୁ : ୩ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସମ୍ବଲପୁର ଚଳଚଞ୍ଚଳ