ସମ୍ବଲପୁର ଏବେ ଚଳଚଂଚଳ। ଆସନ୍ତା ୩ ତାରିଖରେ ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବା ସହ ସମ୍ବଲପୁର IIMର ଲୋକାର୍ପଣ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜାତୀୟ ରାଜପଥ, ରେଳବାଇ ଓ ପାୱାର ପ୍ରକଳ୍ପ ଆଦିର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପୁରା ସମ୍ବଲପୁର ସହ ଆଇ.ଆଇ.ଏମ ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ତେବେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ପାଇଁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଂଚି ବସନ୍ତପୁରଠାରେ ନିର୍ମିତ ଆଇଆଇଏମ୍ କ୍ୟାମ୍ପସକୁ ଯିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସେ ସ୍ଥାନୀୟ ରେମେଡ୍ ପଡ଼ିଆଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନ ବନ୍ଦର ସମେତ ସମ୍ବଲପୁଠାରେ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ଓ ତାଙ୍କ ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନ ବନ୍ଦର ଓ ହେଲିପ୍ୟାଡଠାରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ ନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳୀରେ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ଓ ଏହାର ଟେଷ୍ଟିଂ ସହ ଡାକବାଜି ଯନ୍ତ୍ରର ଆଗୁଆ ଟେଷ୍ଟିଙ୍ଗ ଓ ଆଉ ଅତିରିକ୍ତ ଦୁଇଟି ଜେନେରେଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁତୟନ ହେଉଥିବା ସିଧାସଳଖ ନିକଟ ସଂସ୍ପର୍ଶରେ ଯେଉଁ ଅଧିକାରୀ, କର୍ମଚାରୀ ଓ ବ୍ୟକ୍ତିବିଶେଷ ଦାୟିତ୍ୱରେ ରହିବେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଇବାକୁ ମଧ୍ୟ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ଗସ୍ତବେଳେ ୨୦୪୫କୋଟି ଟଙ୍କାରେ ନିର୍ମିତ ୩ଟି ଟ୍ରାନ୍ସଫରମେଟିଭ ହାଇୱେ ପ୍ରକଳ୍ପର ଲୋକାର୍ପଣ କରିବେ । ୬୭୯କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪୩ ନମ୍ବର ଜାତୀୟ ରାଜପଥରେ ୨୪କିମି ବିଶିଷ୍ଟ ବୀରମିତ୍ରପୁରରୁ ବ୍ରାହ୍ମଣୀ ବାଇପାସ୍ , ବ୍ରାହ୍ମଣୀ ବାଇପାସରୁ ରାଜମୁଣ୍ଡା ପର୍ଯ୍ୟନ୍ତ ୪୭କିମି ରାସ୍ତା ଓ ରିମୁଳିଠାରୁ କୋଇଡ଼ା ଜାତୀୟ ରାଜପଥର ୪ଲେନ୍ ରାସ୍ତାକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ୨୮୯୭୮କୋଟି ଟଙ୍କା ବ୍ୟୟ ଅଟକଳରେ NTPC ଦର୍ଲିପାଲି ସୁପର ତାପଜ ବିଦ୍ୟୁତ କେନ୍ଦ୍ରର ଲୋକାର୍ପଣ, NSPCL ରାଉରକେଲାର ସମ୍ପ୍ରସାରଣ ଓ NTPC ତାଳଚେର ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଆଦି ପ୍ରକଳ୍ପକୁ ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ ନବନିର୍ମିତ ସୋନପୁର ରେଳଷ୍ଟେସନର ଲୋକାର୍ପଣ ସହ ବଲାଙ୍ଗିର-ସୋନପୁର ରେଳମାର୍ଗରେ ଟ୍ରେନ ଚଳାଚଳ ଓ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ମାର୍ଗରେ ରେଳ ଚଳାଚଳକୁ ଲୋକାର୍ପଣ କରିବେ। ଏହି ଲୋକାର୍ପଣ ସହ ସୋନପୁରରୁ ରେଳସଂଯୋଗ ବାସ୍ତବ ରୂପ ନେବ ବୋଲି ସୂଚନା ମିଳିଛି।
ଅଧିକ ପଢନ୍ତୁ : ଆଜି ଚମ୍ପଇ ସୋରେନଙ୍କ ଶପଥ ଗ୍ରହଣ