ବିଗତ କିଛି ଦିନରୁ ଝାଡ଼ଖଣ୍ଡରେ ଚାଲିଥିବା ରାଜନୀତି ବିବାଦର ପରିସମାପ୍ତି ଘଟିଛି। ଜେଏମଏମର ବରିଷ୍ଠ ନେତା ତଥା ବିଧାୟକ ନେତା ତଥା ଝାଡ଼ଖଣ୍ଡର ଟାଇଗର ଭାବେ ପରିଚିତ ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରାଜନୈତିକ ସଙ୍କଟ ଭିତରେ ଚମ୍ପଇଙ୍କୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ଆମନ୍ତ୍ରଣ କରିଛନ୍ତି।ଶୁକ୍ରବାର ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ୧୦ ଦିନ ଭିତରେ ଚମ୍ପଇଙ୍କୁ ବହୁମତ ପ୍ରମାଣ କରିବାକୁ ପଡ଼ିବ।
ଗୁରୁବାର ସନ୍ଧ୍ୟାରେ ଚମ୍ପଇ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ।
ଅପର ପକ୍ଷରେ ଝାଡ଼ଖଣ୍ଡରେ ରିସର୍ଟ ପଲିଟିକ୍ସ ସାମ୍ନାକୁ ଆସିଛି। ଘୋଡ଼ା ବେପାର ଆଶଙ୍କାରେ ମହାଗଠବନ୍ଧନର ବିଧାୟକମାନଙ୍କୁ ରାଞ୍ଚିରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟପାଳଙ୍କୁ ଚମ୍ପଇ ସୋରେନ ଭେଟିବା ପରେ ବିଧାୟକମାନେ ରାଞ୍ଚି ବିମାନବନ୍ଦରରେ ଏକାଠି ହୋଇଥିଲେ। ତେବେ ମେଣ୍ଟ ତା’ର ବିଧାୟକମାନଙ୍କୁ ଝାଡଖଣ୍ଡ ବାହାରକୁ ପଠାଇବାକୁ ଯୋଜନା କରୁଥିବାବେଳେ ପାଗରେ ପରିବର୍ତ୍ତନ ଘଟି ‘ଲୋ ଭିଜିବିଲିଟି’ ପାଇଁ ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ପାରିନଥିଲା। ପରେ ବିଧାୟକମାନେ ସର୍କିଟ ହାଉସରେ ରହିଛନ୍ତି।
ନିକଟରେ ଜମି ଦୁର୍ନୀତି ମାମଲା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବରୁ ଚମ୍ପଇ ସୋରେନଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।
ଅଧିକ ପଢନ୍ତୁ : ଆଜିଠାରୁ ଅମୃତ ଉଦ୍ୟାନ ଉତ୍ସବ ୨୦୨୪