ରାମଲୀଳାରେ ଭରତ ମିଳନ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମଲୀଳାରେ କମ୍ପିଉଠୁଛି ବଲାଙ୍ଗୀର । ରାମାୟଣର କିଛି ଦୃଶ୍ୟ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଁଚୁଛି । ଯାହା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ପଞ୍ଚମ ରାଜନୀରେ ପ୍ରଦର୍ଶିତ ହୋଇଛି ଭରତ ମିଳନ । ରାମଙ୍କୁ ଭେଟି ଶ୍ରୀରାମଙ୍କ ପାଦୁକା ନେଇ ଫେରିଛନ୍ତି ଭରତ ।
ଏଥିସହିତ ଅଯୋଧ୍ୟା କାଣ୍ଡ ସମାପ୍ତ ହେବା ସହ ଲଙ୍କା କାଣ୍ଡ ଆରମ୍ଭ ହୋଇଛି । ଚାମତ୍କlର ଅଭିନୟରେ ଦର୍ଶକଙ୍କୁ ବିମୋହିତ କରୁଛନ୍ତି କଳାକାରମାନେ । ଜଗତଜନନୀ ମାତା ସୀତା ଭୂମିକାରେ ଅଭିନୟ କରୁଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ ମାନସ ସାହୁ । ତାଙ୍କ ନିଖୁଣ ଅଭିନୟ ଖୁବ୍ ଜୀବନ୍ତ ମନେ ହେଉଥିବା ବେଳେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ପକାଉଥିବା ଦେଖିବାକୁ ମିଳିଛି। ଆଜିର ଯୁଗରେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ପୌରାଣିକ ରାମଲୀଳା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଉଛୁଳି ପଡ଼ୁଛି ରାମଲୀଳା ମଣ୍ଡପ ।
ପ୍ରତ୍ୟହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଏହି ରାମଲୀଳା ନାଟକକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକବୃନ୍ଦ । ରାମଲୀଳାର ଏହି ନାଟକରେ ସାରା ପରିବେଶରେ ଏହା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶ୍ରୀରାମଙ୍କ ଅପୂର୍ବ ଚରିତ, ପିତା ସତ୍ୟ ପାଳନରେ ଚଉଦ ବରଷ ବନବାସ ଏବଂ ଭରତ ମିଳନ ବିଷୟ ସମାପ୍ତି ପରେ ଆରମ୍ଭ ହୋଇଛି ଲଙ୍କା କାଣ୍ଡ । ଆସନ୍ତା ୨୬ ତାରିଖ ଦିନ ସୀତାଚୋରି ପ୍ରଦର୍ଶିତ ହେବ ବୋଲି ରାମଜୀ ନାଟ୍ୟ ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।