ପଦ୍ମପୁର ରେ ବାଜିମାରିଲା ବିଜେଡି
Khabar Odisha:BJD-candidate-Barsha-Singh-Bariha-wins-Padampur-bypoll
ବରଗଡ଼/ପଦ୍ମପୁର:08/12/2022:

ପଦ୍ମପୁର ଉପ ନିର୍ବାଚନ ରେ ବାଜିମାରିଲା ବିଜେଡି। ୪୨,୦୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା ସିଂ ବରିହା | ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ତେବେ ୨୩ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ୪୨ ହଜାର ୦୬୫ ଭୋଟରେ ବିଜୟୀ ହୋଇଛନ୍ତି । ୨୩ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି । ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର କୁ ନିଜର ଦଖଲ କରିଛି ବିଜେଡି  । ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର ସତ୍ୱେ ଫୁଟି ପାରିଲାନି ‘ପଦ୍ମ’ ତେବେ ପଦ୍ମପୁର  ଉପନିର୍ବାଚନର ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ‘ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା’| 

ପଦ୍ମପୁର ଉପ ନିର୍ବାଚନ ରେ ମୋଟ ୨୩ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଆଗୁଆ ରହିଥିଲା। ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡର ଏହି ସ୍ଥିତି ପରବର୍ତ୍ତୀ ରାଉଣ୍ଡ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଥିଲା। ୫ମ ରାଉଣ୍ଡ ଗଣତି ଶେଷ ବେଳକୁ ପ୍ରଦୀପ ପୁରୋହିତଙ୍କ ଠାରୁ ବର୍ଷା ୮ ହଜାରରୁ ଅଧିକ ଭୋଟ୍‌ରେ ଆଗରେ ରହିଥିଲେ। ଏଣୁ ବିଜେପି  ଜିତିବାର ଆଶା ମଉଳି ଯାଇଥିଲା। କ୍ରମଶଃ ଧୀରେ ଧୀରେ ଭୋଟ୍‌ ବ୍ୟବଧାନ ବଢ଼ି ଚାଲିଥିଲା। ୧୦ମ ରାଉଣ୍ଡ ଶେଷ ବେଳକୁ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୯, ୪୨୫ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲେ। ପଦ୍ମପୁର ଉପନିର୍ବାଚନରେ ହାତକୁ ଜୋରଦାର ଝଟକା ଲାଗିଛି  । ମାତ୍ର ୩୫୪୮ ଖଣ୍ଡ ଭୋଟ ପାଇଛନ୍ତି ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ବିଜେଡି ଏଠି ୧ ଲକ୍ଷ ୧୯ ହଜାର ୫୧୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୭୭ ହଜାର ୪୪୭ ଖଣ୍ଡ ଭୋଟ ହାତେଇଛି । ଏହା ତୁଳନାରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଉଭୟ ବିଜେପି ଓ କଂଗ୍ରେସ ଦଳ ପାଇଁ ହେବିୱେଟ ନେତା  ପ୍ରଚାର କରିଥିଲେ ମଧ୍ୟ ଲୋକଙ୍କ ଭରସା ଜିତିବାରେ ଫେଲ ମାରିଛନ୍ତି ବିଜେପି ଓ କଂଗ୍ରେସ |  

Subscribe

National International State Sports Entertainment