ସରକାର ଗରିବଙ୍କ ପାଇଁ ମାଗଣା ଚିକିତ୍ସା ସେବା ଯୋଗାଉଛନ୍ତି ବା ମାଗଣା ଆମ୍ବୁଲାନ୍ସ ଯୋଗାଉଛନ୍ତି ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଛାପୁଛନ୍ତି, ବଡ଼ ବଡ଼ ହୋର୍ଡିଂ ମାରୁଛନ୍ତି । ହେଲେ ବାସ୍ତବରେ କେମିତି ହେଉଛି ରୋଗୀସେବା ତାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ସ୍ୱାଧିନତାକୁ ୭୫ ବର୍ଷ ପୁରିଲାଣି, ହେଲେ ଏବେ ବି ଅନେକ ଗାଁ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ । ଆଉ ସେହି ରାସ୍ତା ନଥିବାରୁ ଜରୁରୀକାଳିନ ପରିସ୍ଥିତିରେ ଆମ୍ବୁଲାନ୍ସ ପହଞ୍ଚିପାରୁନି । ଯାହାଫଳରେ ରୋଗୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛି ନଚେତ ରୋଗୀଟି ମୃତ୍ୟୁବରଣ କରୁଛି । ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାରୁ ।
ସୂଚନା ଅନୁସାରେ ଗୁୁଗୁରମାହ ପଞ୍ଚାୟତର ମ୍ଲାଉଗୁଡା ଗ୍ରାମର ମେଚୁ ସୁକାମାଝୀଙ୍କ ସ୍ତ୍ରୀ ସୁମନ୍ତି ସୁକାମାଝିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ସେ ତୁରନ୍ତ ଡାକ୍ତରଖାନା କୁ ସ୍ଥାନାନ୍ତର ନିମନ୍ତେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ରୋଗୀ ନିକଟକୁ ଆସିପାରିନଥିଲା । କିଛି ଉପାୟ ନପାଇ ପରିବାର ଲୋକେ ଆଶା ଦିଦିଙ୍କ ସହାୟତାରେ ତାଙ୍କୁ ଖଟିଆରେ ୫ କିଲୋମିଟର ଜଙ୍ଗଲିଆ ରାସ୍ତା ପାରି କରାଇ ଜୁଡାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡା ଉପଖଣ୍ଡକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମହିଳା ଜଣକ ପ୍ରସବ ବେଦନା ସହିନପାରି ତୁମୁଡିବନ୍ଧ ନିକଟରେ ଆମ୍ବୁଲାନ୍ସ ଭିତରେ ଆଖି ବୁଜି ଦେଇଥିଲେ । ଏହାକୁ ନେଇ କୋଟଗଡ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି ।
ଅଧିକ ପଢନ୍ତୁ : ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ