ସୁବର୍ଣ୍ଣପୁର: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୌମ୍ୟରଞ୍ଜନ ଖେତିଙ୍କ ବାବଦରେ ନୂତନ ତଥ୍ୟ ହସ୍ତଗତ ହୋଇଛି । କୋଟିପତି ହେବାକୁ ‘ଟିନ୍ ପତି’ (TEENPATI ) ପ୍ଲାଟ୍ ଫର୍ମରେ ସରକାରୀ ଅର୍ଥ ବିନିଯୋଗ କରିଥିଲେ ପ୍ରଧାନଶିକ୍ଷକ ।
ଭିଜିଲାନ୍ସର ଜେରା ବେଳେ ସୌମ୍ୟରଞ୍ଜନ ଖେତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସରକାରୀ ପାଣ୍ଠିକୁ ସେ ଅନଲାଇନ ବେଟିଂ ଆପରେ ନିବେଶ କରିଥିଲେ । ଟିନ୍ ପତି ଆପ୍ରେ ଅନଲାଇନ୍ ବେଟିଂ ପାଇଁ ୧୧ ଲକ୍ଷ ଟଙ୍କା ସରକାରୀ ଅର୍ଥ ଲଗାଇଛନ୍ତି ।
ସୌମ୍ୟରଞ୍ଜନ ଖେତି ୨୯ ସେପ୍ଟେମ୍ବର ୨୦୨୧ରେ ବିନିକା ଆଦର୍ଶ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ ଦାୟିତ୍ୱ ଗ୍ରହଣ କରିଥିଲା । ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ଜଣାପଡ଼ିଥିଲା । ୨୦୨୧-୨୨ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଏମଡିଏମ୍ , ମୋ ସ୍କୁଲ ଅଭିଯାନ ଏବଂ ବାଳିକା ଛାତ୍ରାବାସ ପାଣ୍ଠିକୁ ଆସିଥିବା ୫୫ ଲକ୍ଷ ୨ ହଜାର ୬୧୦ ଟଙ୍କା ଆତ୍ମସାତ କରି ଥିବା ଜଣାପଡ଼ିଛି । ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବା ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ୧୧ ଲକ୍ଷ ଟଙ୍କା ବେଟିଂ ଆପରେ ଲଗାଇଛନ୍ତି । ଭିଜିଲାନ୍ସ ବିଭାଗ ଜେରା ଜାରି ରଖିଛି ।