କେନ୍ଦୁଝର : ଚାଲିଛି ପାର୍ବଣ ଋତୁ । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଞ୍ଚଳ ପୁରଠୁ ପଲ୍ଲୀ । ଏହି ଅବସରରେ ରାଜ୍ୟର ସମସ୍ତ ଶକ୍ତିପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ସୁଅ ଦେଖିବାକୁ ମିଳୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ ହେବାକୁ ଲାଗିଲାଣି । ମାଙ୍କ ଷୋଡ଼ଶ ଉପଚାର ପୂଜା ଦେଖିବାକୁ ଦିନ ତମାମ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି ।
ରୀତିନୀତି ଅନୁସାରେ ସମସ୍ତ ଦେବୀ ପୀଠ ପରି ନବରାତ୍ରୀ ଅବସରରେ ଘଟଗାଁ ତାରିଣୀଙ୍କ ପୀଠରେ ମଧ୍ଯ ନବରାତ୍ର ପୂଜା ଆରମ୍ଭ ହୋଇଛି । ପ୍ରଥମ ଦିନରୁ ଷଷ୍ଠୀ ପର୍ଯ୍ୟନ୍ତ ତାରିଣୀଙ୍କ ପୀଠରେ ନବରାତ୍ର ପୂଜା ହୋଇଥିବା ବେଳେ ମହାସପ୍ତମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେଇଥାଆନ୍ତି ମାଆ । ଭୋରୁ ମହାସ୍ନାନ, ମାଜଣା, ଷୋଡ଼ଶ ଉପଚାର ପୂଜା, ବଡ଼ିସିଂହାର ବେଶ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ମାଆଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇ ପହଡ଼ ଖୋଲାଯାଏ । ତେବେ ମାଆଙ୍କ ଏହି ଦୁର୍ଲଭ ବେଶ ଦେଖିବାଲାଗି ସକାଳୁ ସକାଳୁ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ତେବେ ଭକ୍ତ ସମାଗମକୁ ନଜରରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।