ନୂଆଦିଲ୍ଲୀ: ୯୦ ଦଶକର ପ୍ରସିଦ୍ଧ କଣ୍ଠଶିଳ୍ପୀ କୁମାର ସାନୁ ନିଜ ଗୀତ ପାଇଁ ଯେତିକି ପ୍ରସଂଶା ସାଉଁଟିଛନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଛନ୍ତି । କୁମାର ସାନୁଙ୍କ ପୂର୍ବତନ ବାନ୍ଧବୀ କୁନିକା ସଦାନନ୍ଦ ବର୍ତ୍ତମାନ ବିଗ୍ ବସରେ ଅଂଶ ଗ୍ରହଣ କରିଛନ୍ତି । ଏହାରି ମଧ୍ୟରେ କୁମାର ସାନୁଙ୍କ ପ୍ରଥମ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ରୀତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ।
ରୀତା ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କୁମାର ସାନୁ ଏବଂ ତାଙ୍କର ବୈବାହିକ ସମ୍ପର୍କ ବିଷୟରେ କହିଛନ୍ତି । ରୀତା କହିଛନ୍ତି, କୁମାର ସାନୁ ଜଣେ ମହାନ ଗାୟକ, କିନ୍ତୁ ମଣିଷ ହିସାବରେ ତାଙ୍କ କଥା ଯେତେ କମ୍ କହିବା ସେତେ ଭଲ । କୁମାର ସାନୁ କେବେବି ଗୀତ ଗାଇବାକୁ ଚାହୁଁ ନ ଥିଲେ । କିନ୍ତୁ ମୁଁ ତାଙ୍କୁ ସବୁବେଳେ ଗୀତ ଗାଇବାକୁ ବାଧ୍ୟ କରୁଥିଲି । କୁମାର ସାନୁଙ୍କୁ ମୁଁ ‘କୁମାର ସାନୁ’ ବନାଇଛି । କୁମାର ସାନୁ ବିଲକୁଲ ପରିଶ୍ରମୀ ନ ଥିଲେ । ଯଦି ୧ ପ୍ରତିଶତ ତାଙ୍କର ଟ୍ୟାଲେଣ୍ଟ ଥିଲା ତାହା ହେଲେ ୯୯ ପ୍ରତିଶତ ପତ୍ନୀ ଭାବରେ ତାଙ୍କୁ ପ୍ରେରଣା ଦେଇଥିଲେ ।
ଖାଲି ସେତିକି ନୁହେଁ ରୀତା ଆହୁରି କହିଛନ୍ତି, ଶାଶୁ ଘର ଲୋକେ ତାଙ୍କୁ ସବୁବେଳେ ନିର୍ଯ୍ୟାତନା ଦେଉଥିଲେ । ନା ଘର ବାହାରକୁ ଯିବାକୁ ଅନୁମତି ନା ସାଙ୍ଗସାଥୀଙ୍କ ସହିତ ମିଶିବା କିମ୍ବାର ମେକଅପ୍ ଲଗାଇବାକୁ ଅନୁମତି ଥିଲା । ଯେତେବେଳେ ତାଙ୍କ ପେଟରେ ତୃତୀୟ ସନ୍ତାନ ଜାନ୍ ସାନୁ ଥିଲେ ସେତେବେଳେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ଗର୍ଭବତୀ ଥିବା ସମୟରେ ରୋଷେଇ ଘରେ ବନ୍ଦ କରିଦିଆଯାଇଥିଲା ଏବଂ ସେ ଚାଉଳ ମାଗିବାକୁ ନିଜ ଭାଉଜଙ୍କ ପାଖକୁ ଯାଉଥିଲେ । ସେଠାରେ ରୋଷେଇ କରି ଖାଉଥିଲେ । ଫିଲ୍ମ ଆସିକିରୁ ପରିଚୟ ପାଇବା ପରେ କୁମାର ସାନୁଙ୍କ ବ୍ୟବହାର ଧିରେ ଧିରେ ବଦଳିବା ଆରମ୍ଭ କରିଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ବହୁତ ବିଳମ୍ବରେ ତାଙ୍କୁ ନ୍ୟାୟ ମିଳିଥିଲା ଏବଂ କୁମାର ସାନୁଙ୍କ ଘର ମିଳିଥିଲା ।
୧୯୮୦ରେ କୁମାର ସାନୁ ଏବଂ ରୀତା ଭଟ୍ଟାଚାର୍ଯ୍ୟ ବିବାହ କରିଥିଲେ । ୧୯୯୪ ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ବିଚ୍ଛେଦ ହୋଇଥିଲା । କୁମାର ସାନୁଙ୍କ ପୂର୍ବତନ ବାନ୍ଧବୀ କୁନିକା ସଦାନନ୍ଦ ବର୍ତ୍ତମାନ ବିଗ୍ ବସ୍ ରେ ଅଛନ୍ତି । କୁନିକା ମଧ୍ୟ ଅନେକ ଥର ଉଭୟଙ୍କ ସମ୍ପର୍କ ବାବଦରେ କହିଛନ୍ତି । ଉଭୟ ୯୦ ଦଶକରେ ପ୍ରାୟ 6 ବର୍ଷ ଧରି ସମ୍ପର୍କରେ ରହିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ବିବାହ ହୋଇନଥିଲା । ପୂର୍ବରୁ ମଧ୍ୟ କୁମାର ସାନୁଙ୍କ ପୁଅ ଜାନ୍ କୁମାର ସାନୁ ବିଗ୍ ବସକୁ ଆସିଥିଲା ।