ମହାକାଳପଡ଼ା: ମାଛ ଧରିବା କାଳ ହୋଇଛି। ମଝି ସମୁଦ୍ରରେ ବଜ୍ରପାତ ଯୋଗୁଁ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ନିଖୋଜ ହୋଇଯାଇଛି ଓ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରେ ଏଭଳି ଦୁଃଖଦ ଘଟଣା ଘଟିଛି। ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗ୍ରାମର ମତ୍ସ୍ୟଜୀବୀ ବିଜୟ ପରିଡ଼ା ଓ ତାଙ୍କ ପୁଅ ମାଛ ଧରିବାକୁ ଡଙ୍ଗାରେ ସମୁଦ୍ରକୁ ଯାଇଥିଲେ। ହଠାତ୍ ପାଗ ବଦଳି ଯାଇଥିଲା। ନିମିଷକ ମଧ୍ୟରେ ନୀଳ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିବାବେଳେ ଡଙ୍ଗା ଉପରେ ବଜ୍ରପାତ ହୋଇଥିଲା ଓ ବଜ୍ରପାତରେ ବିଜୟ ପରିଡ଼ା ସେହି ଜାଲ ଡଙ୍ଗା ଉପରେ ଟଳିପଡ଼ିଥିଲେ।
ରବିବାର ସକାଳେ ଅନ୍ୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ଡଙ୍ଗା ଭାସୁଥିଲା ଓ ବିଜୟଙ୍କ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେବା ସହିତ ଉଦ୍ଧାର କରିଥିଲେ। ଶନିବାର ଅପରାହ୍ନରେ ବାପା ସାଙ୍ଗରେ ଯାଇଥିବା ୧୭ ବର୍ଷୀୟ ପୁଅ ନିଖୋଜ ଥିବା ଜଣାପଡ଼ିବା ପରେ ବନ ବିଭାଗ, ପୁଲିସ ଟିମ୍ ବୋଟ୍ ସାହାଯ୍ୟରେ ଖୋଜାଖୋଜି ଚଳାଇଥିଲେ। ହେଲେ ଏଯାଏଁ ପୁଅର ପତ୍ତା ମିଳିପାରିନି ।