ଭୁବନେଶ୍ୱର: ଚନ୍ଦକା ଜଙ୍ଗଲ ରାସ୍ତାରୁ ଓଲା ଟ୍ୟାକ୍ସି ଚାଳକଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାମଲାରେ ସମ୍ପୃକ୍ତି ଥିବା ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଏନ.ଦିଲ୍ଲୀପ କୁମାର, ରମେଶ ବେହେରା, କେ. ରବୀନ୍ଦ୍ର ଓ ଦୀପକ ସାହୁ । ସମସ୍ତଙ୍କ ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ହୋଇଥିବା ସୂଚନା ରହିଛି । ଅପହରଣ ଘଟଣାରେ ୮ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ବେଳେ ଆହୁରି ୪ ଅଭିଯୁକ୍ତି ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି ।
ଓଲା ଡ୍ରାଇଭର ଖୋର୍ଦ୍ଧା ବାଣପୁର ଅରାଙ୍ଗ ଗ୍ରାମର ବିଦ୍ୟାଧର ସାହୁ ଓରଫ ମଣ୍ଟୁ(୩୦)ଙ୍କ ୧୫ ତାରିଖରୁ ନିଖୋଜ ଥିଲେ । ଗତ ଶନିବାର ଦିନ ତାଙ୍କର ମୃତଦେହ ବାରଙ୍ଗ-ଚନ୍ଦକା ରାସ୍ତାରେ ଦାରୁଠେଙ୍ଗ ନିକଟରୁ ଉଦ୍ଧାର ହୋଇଥିଲା । ପ୍ରଥମେ ଏକ ଗାମୁଛା ସାହାଯ୍ୟରେ ତାଙ୍କ ବେକକୁ ଚିପି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଅପହରଣକାରୀ ଏକ କୋଟି ଟଙ୍କା ଦାବି କରିଥିଲେ । ଚାକିରି ବାବଦରେ ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।
ମଣ୍ଟୁଙ୍କ ସାଙ୍ଗ ଚନ୍ଦକା ରାସ୍ତାରେ କଟକ ଯାଉଥିବା ସମୟରେ ମଣ୍ଟୁଙ୍କ ଗାଡ଼ି ଦେଖି ତାଙ୍କୁ ଖୋଜି ଥିଲେ । ଏକ ଘଞ୍ଚ ଜାଗାରେ ମଣ୍ଟୁଙ୍କ ମୃତ ଦେହ ଦେଖି ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମଣ୍ଟୁଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ।