ବାଲେଶ୍ବର: ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କାନ୍ଥ ଭୁଶୁଡି ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ମହାଦେବ ସରାଇ ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ସ୍ବାମୀ ପିଥ ମୁର୍ମୁ ଓ ସ୍ତ୍ରୀ ମିନତୀ ମୁର୍ମୁ । ଗୁରୁତର ଅବସ୍ଥାରେ ଝିଅ ଲକ୍ଷ୍ମୀ ମୁର୍ମୁକୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ପିଥ ମୃର୍ମୁଙ୍କ ପରିବାର ଖାଇ ପିଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଘରର କାନ୍ଥ ଭୁଶୁଡି ତାଙ୍କ ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକେ, କିଛି ସମୟ ପରେ ମାଟି ତଳୁ ସ୍ବାମୀ, ସ୍ତ୍ରୀ ଓ ଝିଅକୁ ଉଦ୍ଧାର କରିଥିଲେ । କାନ୍ଥ ତଳେ ଚାପି ହୋଇ ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେରେ ଭର୍ତ୍ତି କରାଯାଇଥିଲା । ପରେ ଝିଅକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବସ୍ତା ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।