କଟକ: ରାଜ୍ୟର ସମସ୍ତ ଶକ୍ତିପୀଠଗୁଡ଼ିକରେ ଆଗେଇ ଚାଲିଛି ମା'ଙ୍କ ଷୋଡ଼ଶ ଉପଚାର ପୂଜା ବିଧି। ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ନବ ଦିନାତ୍ମକ ପୂଜା ଆରମ୍ଭ ହେଉଛି। ତେଣୁ ଆଜି କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ହରଚଣ୍ଡୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସେହିପରି ମା' ଗଡଚଣ୍ଡୀ ଆଜି ରାଜ ରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି। ତେବେ ମାଆଙ୍କ ଦର୍ଶନ କରିବାକୁ ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ସକାଳୁ ସକାଳୁ ମା'ଙ୍କ ପୂଜା ସମସ୍ତ ରୀତିନୀତି ଅନୁସାରେ ସମ୍ପର୍ଣ କରିଛନ୍ତି ମା'ଙ୍କ ମୁଖ୍ୟ ପୂଜକ। ଏହାପରେ ମା'ଙ୍କ ପାଖରେ ସକାଳ ଧୂପ ଏବଂ ଭୋଗ ଲାଗି ହୋଇଥିଲା। ସେବକ ମାନଙ୍କ ବାଦ୍ୟଯନ୍ତ୍ରର ସୁମଧୁର ପରିବେଷଣ ସାଙ୍ଗକୁ ହୋମପାଠ, ଯଜ୍ଞାନୁଷ୍ଠାନ ଓ ବେଦ ଧ୍ଵନିରେ କଟକର ସମସ୍ତ ଶକ୍ତି ପୀଠ ପ୍ରକମ୍ପିତ ହେଉଛି। ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତମାନେ ମାଆଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି। ଏହାସହିତ ମନାସିକଧାରୀମାନେ ମଧ୍ୟ ମା'ଙ୍କ ପାଖରେ ପୂଜାର୍ଚନା କରିଥିଲେ।