ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନର ବାୟୁସେନା ନିଜ ହିଁ ଦେଶର ଲୋକଙ୍କ ଉପରେ ଆକ୍ରମଣ କରୁଛି । ସୋମବାର ଖୈବର ପଖତୁନଖୱା ପ୍ରାନ୍ତରେ ପାକିସ୍ତାନୀ ବାୟୁସେନାର ଏୟାର ଷ୍ଟ୍ରାଇକ ହମଲାରେ ମହିଳା ଓ ଶିଶୁ ସମେତ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ବିଳମ୍ବିତ ରାତି ୨ଟାରେ ଘଟିଛି । ପାକିସ୍ତାନର ଲଢୁଆ ବିମାନ ତିରାହ ଘାଟି ସ୍ଥିତ ମତ୍ରେ ଦାରା ଗାଁ ଉପରେ ଆଠ ବୋମା ବର୍ଷଣ କରିଛନ୍ତି । ଏଥିରେ ଗାଁ ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଲଏସ-୬ ବର୍ଗର ବିନାଶକାରୀ ବୋମାକୁ ଚୀନ ଜେଏଫ-୧୭ ଲଢୁଆ ବିମାନରରୁ ଫିଙ୍ଗା ଯାଇଛି । ସମସ୍ତ ମୃତକ ପାକିସ୍ତାନର ନାଗରିକ ବୋଲି ଜଣା ପଡିଛି ।
ଏହି ହମଲାକୁ ନେଇ ଅଦ୍ୟାବଧି ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ବୋମାମାଡରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ, ଯେବେ ଗାଁରେ ଲୋକେ ନିଘୋଡ ନିଦରେ ଶୋଇଥିଲେ, ସେହି ସମୟରେ ଜୋରଦାର ବିସ୍ଫୋରଣ ଶବ୍ଦରେ ସେମାନଙ୍କ ଆଖି ଖୋଲିଥିଲା । ବୋମା ବର୍ଷଣ ଏତେ ଭୟଙ୍କର ଥିଲା ଯେ, ଗାଁର ଏକ ବଡ ଅଂଶ ଧ୍ୱଂସ ହୋଇ ଯାଇଛି ।
ସ୍ଥାନୀୟ ମିଡିଆ ରିପୋର୍ଟରେ ଘଟଣାସ୍ଥଳର ବିଚଳିତ କରୁଥିବା ଦୃଶ୍ୟ ଓ ଭିଡିଓରେ ଛୋଟ ଛୋଟ ପିଲାଙ୍କ ସମେତେ ଅନେକ ଲୋକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳୁ ମୃତଦେହ ସନ୍ଧାନରେ ଜୁଟିଛନ୍ତି । ସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଖୈବର ପଖତୁନଖୱାରେ ପୂର୍ବରୁ ଅନେକ ଥର ଆତଙ୍କବାଦ ନିରୋଧୀ ଅଭିଯାନ ଚଲାଯାଇଛି ଏବଂ ଏଥିରେ ଅନେକ ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟିଛି ।
ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନେକ ନିଖୋଜ ଥିବା କୁହାଯାଉଛି । ଏହି ଘଟଣା ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତି ଓ କଳହକୁ ଉଜାଗର କରିଛି । ଖୈବର ପଖତୁନଖୱା ଅଞ୍ଚଳ ଦୀର୍ଘ ସମୟ ଧରି ଅଶାନ୍ତ ରହି ଆସିଛି । ସାଧାରଣତଃ ଏଠାରେ ପାକିସ୍ତାନ ସରକାରଙ୍କ କର୍ତ୍ତୃତ୍ୱ ରହି ନ ଥାଏ ।
Also read: ୧୬ ରାଜ୍ୟର ରେଭେନ୍ୟୁ ସରପ୍ଲସ, ସିଏଜି ରିପୋର୍ଟରୁ ଜାଣନ୍ତୁ ଓଡିଶାର ସ୍ଥିତି