ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନର ବଗରାମ ଏୟାରବେସ ହାସଲ କରିବାର ସ୍ୱପ୍ନ ଉପରେ ତାଲିବାନ ଝଟକା ଦେଉଥିବା ଦେଖିବାକୁ ମିଳିଛି । ତାଲିବାନ ସରକାର ସ୍ପଷ୍ଟ ଭାବେ ମନା କରିବା ପରେ ଆଫଗାନ ବୈଦେଶିକ ମନ୍ତ୍ରୀ ମୁତ୍ତାକି କଡା ଶବ୍ଦରେ ଟ୍ରମ୍ପଙ୍କ ବୟାନର ନିନ୍ଦା କରିଛନ୍ତି । ସେ କହିଛନ୍ତି, ବଗରାମ ଏୟାରବେସ ତ ଦୂରର କଥା ଆମେ ଏକ ମିଟିର ଜମି ବି ଆମେରିକାକୁ ଦେବୁ ନାହିଁ ।
ତାଲିବାନର ମୁଖ୍ୟ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଟ୍ରମ୍ପଙ୍କ ବୟାନକୁ ଖାରଜ କରିବା ସହ ଆମେରିକାକୁ ଯୁକ୍ତିସଙ୍ଗତ ନୀତି ଆପଣେଇବାକୁ ପରାମର୍ଶ ଦେଇଛନ୍ତି । ତାଲିବାନ ସରକାର କହିଛନ୍ତି ଯେ, ଆଫଗାନିସ୍ତାନର ବିଦେଶ ନିତି ଆଫଗାନ ଲୋକଙ୍କ ଆର୍ଥିକ ହିତ ଉପରେ କେନ୍ଦ୍ରିତ । ଏହା ବ୍ୟତୀତ ସେ ଆମେରିକା ସହିତ ହୋଇଥିବା ଆଲୋଚନାର ଉଲ୍ଲେଖ କରିଛନ୍ତି । ଜବିଉଲ୍ଲା ମୁଜାହିଦ କହିଛନ୍ତି, ଅନେକ ଥର କହି ସାରିଛୁ ଯେ, ଆଫଗାନିସ୍ତାନର ସ୍ୱାଧୀନତା ଓ ସାର୍ବଭୌମତ୍ୱ ସର୍ବୋପରି ।
ମୁଜାହିଦ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଦୋହାରେ ହୋଇଥିବା ରାଜିନାମାର ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଏହା ମନେ ରଖିବା ଉଚିତ୍ ଯେ, ଦୋହା ବୁଝାମଣା ଅନ୍ତର୍ଗତ ଆମେରିକା ଏହି ସଂକଳ୍ପ କରିଥିଲା ଯେ, ଆଫଗାନିସ୍ତାନର କ୍ଷେତ୍ରୀୟ ଅଖଣ୍ଡତା ବିରୋଧରେ କୌଣସି ପ୍ରକାରର ବଳ ପ୍ରୟୋଗ କରିବ ନାହିଁ କିମ୍ବା ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ।
ସୂଚନାଯୋଗ୍ୟ, ଟ୍ରମ୍ପ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ କ୍ଷମତାକୁ ଆସିବା ପରଠୁ ଆଫଗାନିସ୍ତାନର ବରଗାମ ଏୟାରବେସ ବିଷୟରେ କହି ଚାଲିଛନ୍ତି । ଗତ ବର୍ଷ ଆମେରିକାର ଆଫଗାନିସ୍ତାନ ଛାଡିଯିବାର ତୃତୀୟ ବର୍ଷ ପୂର୍ତ୍ତି ପାଳନ କରୁଥିଲା ତାଲିବାନ । ଏହି ସମୟରେ ତାଲିବାନ ଆମେରିକା ଦ୍ୱାରା ଛଡା ଯାଇଥିବା ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିଥିଲା । ଏହା ପରେ ଆମେରିକା ଓ ଦୁନିଆର ନଜର ଏହା ଉପରେ ପଡିଥିଲା । ଟ୍ରମ୍ପ ବାଇଡେନ ପ୍ରଶାସନ ଉପରେ ଟାର୍ଗେଟ୍ କରି କହିଥିଲେ ଯେ, ଆଫଗାନିସ୍ତାନ ତ ଛାଡିଲ ହେଲେ ବରଗାମ ଏୟାରବେସ ଛାଡିବାର ନ ଥିଲା ।
Also read: ଭାରତ-ପାକିସ୍ତାନ ଯୁଦ୍ଧବିରତି ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ, ସାତଟି ଯୁଦ୍ଧ ରୋକିଥିବା କଲେ ଦାବି