ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଚ-୧ବି ଭିସାକୁ ନେଇ ଆଇଟି କମ୍ପାନିର କର୍ମଚାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏହି ଭିସା ରଖିଥିବା ବିଦେଶୀ କର୍ମଚାରୀଙ୍କୁ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଆମେରିକା ଫେରି ଆସିବାକୁ କିମ୍ବା ଆମେରିକାରେ ଥିବା କର୍ମଚାରୀଙ୍କୁ ବିଦେଶ ନ ଯିବାକୁ କୁହାଯାଇଛି । ତେବେ ଏହା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଜଣେ ଆମେରିକୀୟ ଅଧିକାରୀ ଶନିବାର କହିଛନ୍ତି ଯେ, ତରବରିଆ ଭାବେ ଆମେରିକା ଫେରିବାର କୌଣସି ଆବଶ୍ୟକତା ନାହିଁ । ଏପରିକି ଏଚ୍-୧ବି ଭିସାରେ ଭାରତୀୟଙ୍କୁ ରବିବାର ସୁଦ୍ଧା ଆମେରିକା ଫେରିବା କିମ୍ବା ପୁର୍ନବାର ପ୍ରବେଶ ପାଇଁ ଏକ ଲକ୍ଷ ଡଲାର ପୈଠ କରିବାର ଆବଶ୍ୟକତା ନାହିଁ ।
ଆମେରିକୀୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏଚ-୧ବି ଭିସା ଶୁଳ୍କ କେବଳ ନୂଆ ଭିସା ଆବେଦନକାରୀଙ୍କ ଉପରେ ଲାଗୁ ହେବ । ଯେଉଁମାନେ ଭିସା ନବୀକରଣ କରିବେ ସେମାନଙ୍କ ଉପରେ ଏକ ଲକ୍ଷ ଡଲାରର ଶୁଳ୍କ ପୈଠ କରିବାର ଆବଶ୍ୟକ ନୁହେଁ । ଅଧିକାରୀଙ୍କ ଏହି ବୟାନ ସେହି ଅନେକ ଟେକ୍ କମ୍ପାନିଙ୍କ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର ଯେଉଁମାନେ ପୂର୍ବରୁ ମାଇକ୍ରୋସଫ୍ଟ, ଆମାଜନ, ମେଟା ଏବଂ ଜେପି ମୋର୍ଗାନ ପରି ଅନେକ ଆଇଟି କମ୍ପାନିର ନୋଟିସକୁ ନେଇ ଚିନ୍ତିତ ଥିଲେ ।
ଏହି ସବୁ କମ୍ପାନି ନିଜର କର୍ମଚାରୀଙ୍କୁ ମେଲ୍ ଜାରି କରି ଚେତାଇଥିଲେ ଯେ, ଯେଉଁ କର୍ମଚାରୀ ଦେଶ ବାହାରେ ଅଛନ୍ତି ସେମାନେ ସେପ୍ଟେମ୍ବର ୨୧ ତାରିଖ ରାତି ୧୨ଟା ସୁଦ୍ଧା ଆମେରିକାରେ ପହଞ୍ଚିବା ଦରକାର । ଆଉ ଯେଉଁମାନେ ଆମେରିକାରେ ଅଛନ୍ତି ସେମାନେ ବିଦେଶ ଗସ୍ତ କରନ୍ତୁ ନାହିଁ କିମ୍ବା ଯୋଜନା କରୁଥିଲେ ତାହା ବାତିଲ୍ କରନ୍ତୁ । ଆମେରିକାର ଏହି ବଡ ବଡ ଆଇଟି କମ୍ପାନିଙ୍କ ଇମେଲ ପରେ ଭାରତୀୟ କର୍ମଚାରୀଙ୍କ ମୁସ୍କିଲ ବଢି ଯାଇଥିଲା । କାରଣ ଆମେରିକାରେ ଏଚ-୧ବି ଭିସାଧାରୀଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ହେଉଛନ୍ତି ଭାରତୀୟ ।
Also read: ମଲାୟାଲାମ ଅଭିନେତା ମୋହନଲାଲ ପାଇବେ ଦାଦାସାହେବ ଫାଲକେ ପୁରସ୍କାର