ନୂଆଦିଲ୍ଲୀ: ମଲାୟାଲାମ୍ ସିନେ ତାରକା ମୋହନଲାଲ ବିଶ୍ୱନାଥନ ୨୦୨୩ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଛି ।
ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଆବେଦନ ପାଇଁ ମୋହନଲାଲ ଦାଦାସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ ହେବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଚୟନ କମିଟି ମୋହନଙ୍କ ନାମରେ ମୋହର ମାରିଛି । ସେପ୍ଟେମ୍ବର ୨୩ରେ ଅନୁଷ୍ଠିତ ହେବାକୁ ଥିବା ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କାର ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏକ୍ସ ଜରିଆରେ ମୋଦୀ ମୋହନଲାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋହନଲାଲ ଉତ୍କର୍ଷତା ଏବଂ ବହୁମୁଖୀତାର ପ୍ରତିମୂର୍ତ୍ତି। ଦଶନ୍ଧି ଧରି ସମୃଦ୍ଧ କାର୍ଯ୍ୟ ସହିତ, ସେ ମାଲାୟଲମ ସିନେମା, ଥିଏଟରର ଜଣେ ପ୍ରମୁଖ ଆଲୋକ ଭାବରେ ରହିଆସିଛନ୍ତି ଏବଂ କେରଳର ସଂସ୍କୃତି ପ୍ରତି ଗଭୀର ଆଗ୍ରହୀ। ସେ ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ମାଧ୍ୟମରେ ତାଙ୍କର ସିନେମା ଏବଂ ନାଟ୍ୟ ପ୍ରତିଭା ପ୍ରକୃତରେ ପ୍ରେରଣାଦାୟକ ବୋଲି ମୋଦୀ କହିଛନ୍ତି ।
୬୫ ବର୍ଷିୟ ମୋହନଲାଲ ଦୀର୍ଘ ୪ ଦଶନ୍ଧି ହେବ ସିନେ ଜଗତ ସହିତ ଜଡ଼ିତ ଅଛନ୍ତି । ପ୍ରାୟ ୪୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ମୋହନଲାଲ ମଲାୟାଲମ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ଭାଷାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି । ପୂର୍ବରୁ ୫ ଥର ଜାତୀୟ ଚଳଚ୍ଚିତ୍ର ଜିତିଛନ୍ତି ଯେଉଁଥିରେ ଦୁଇ ଥର ଶ୍ରେଷ୍ଠ ଅଭିନେତା ପାଇଁ ୨ ଥର ଜାତୀୟ ପୁରସ୍କାର ପାଇଛନ୍ତି । ସେହିପରି ୯ ଥର କେରଳ ରାଜ୍ୟ ପୁରସ୍କାର ଏବଂ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି । ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୧୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
୧୯୬୦, ମେ ୨୧ରେ ମୋହନଲାଲ କେରଳର କୋଲାମ ଜିଲ୍ଲା ଏଲାନ୍ଥୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୮ ମସିହାରେ ଥିରାଲନୋତ୍ତମ ଚଳଚ୍ଚିତ୍ର ଜରିଆରେ ସିନେମା ଘରକୁ ପ୍ରବେଶ କରିଥିଲେ ।