ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ତଗିରା ଗାଁରେ ରହୁଥିବା ଭଡା ଘରେ ଜଣେ ଯୁବତୀ ନିଜ ଜୀବନ ହାରିଛନ୍ତି । ମୃତ ଯୁବତୀ ବାଲେଶ୍ୱର ବସ୍ତା ଥାନା ବଇଞ୍ଚା ଅଞ୍ଚଳର ବୈଜନ୍ତି ହେମ୍ବ୍ରମ । ସେ ଦୀର୍ଘ ବର୍ଷ ହେବ ରାଣୀତାଲ ଗୋବରଗଦି ପୋଷ୍ଟ ଅଫିସରେ ପିଅନ ଭାବେ କାର୍ଯ୍ୟରତ ଥିଲେ। କେଉଁ କାରଣରୁ ସେ ନିଜ ଜୀବନ ହାରିଛନ୍ତି ତାହା ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ତିନି ବର୍ଷ ହେବ ଯୁବତୀ ଜଣକ ତଗିରା ଗାଁରେ ଭଡା ନେଇ ରହୁଥିଲେ। ରବିବାର ସକାଳୁ ତାଙ୍କ କବାଟ ଖୋଲି ନଥିଲା। ସମସ୍ତେ ରବିବାର ଭାବି କେହି ଡାକି ନଥିଲେ। ମାତ୍ର ଅପରାହ୍ନ ହେବାରୁ କବାଟ ବାଡେଇଥିଲେ ମଧ୍ୟ କେହି କବାଟ ଖୋଲି ନଥିଲେ। ପରେ ଘର ମାଲିକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ବୈଜନ୍ତି ନିଜ ଜୀବନ ହାରିଥିବା ଦେଖିବାକୁ ମିଳିଥିଲା । ପରେ ମୃତ ଯୁବତୀଙ୍କ ପରିବାର ଲୋକକୁ ଖବର ଦିଆଯାଇଥିଲା । ଅନ୍ୟପଟେ ପୋଲିସ ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।