ଭୁବନେଶ୍ୱର: ମୋହନ ସରକାରରେ ଦୁର୍ନୀତି ଖୋର ସରକାରୀ ବାବୁଙ୍କୁ ନିସ୍ତାର ନାହିଁ । ନୂତନ ସରକାର ଆସିବା ପରେ ଗତ ୧୫ ମାସରେ ପ୍ରାୟ ୨୦୦ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ଗତ ୧୫ ମାସ ମଧ୍ୟରେ ୧୯୯ ଜଣ ସରକାରୀ ବାବୁ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଜାଲରେ ପଡ଼ିଛନ୍ତି । ସେଥିମଧ୍ୟରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭୭ଟି ମାମଲା ଏବଂ ଲାଞ୍ଚ ନେବା ଅଭିଯୋଗରେ ୧୨୨ଟି ମାମଲା ଭିଜିଲାନ୍ସ ରୁଜୁ କରିଛି । ସେହିପରି ୨୦୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।
ସେହିପରି ଗତ ୫ ବର୍ଷ ମଧ୍ୟରେ ୩,୬୬୧ଟି ଦୁର୍ନୀତି ମାମଲା ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି । ଏତଦ୍ ବ୍ୟତୀତ ୭୨୨ଟି ମାମଲା ତଦନ୍ତ ପରିସରଭୁକ୍ତ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁର୍ନୀତି ଖୋରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ ଲାଞ୍ଚ ନିଅନ୍ତୁ କିମ୍ବା ଆୟ ବର୍ହିଭୁତ ସମ୍ପତ୍ତିଠୁଳ କରନ୍ତୁ, କିରାଣୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବାବୁଙ୍କୁ କାହାକୁ ଛଡ଼ା ଯିବ ନାହିଁ । ଯିଏ ଦୁର୍ନୀତି କରିବେ ସିଧାସଳଖ ଜେଲ ଯିବେ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ଚେତାବନୀ ଦେଇଛନ୍ତି ।