ସୁବର୍ଣ୍ଣପୁର: ପିଲାଙ୍କୁ ଭଲ ବାଟରେ ଯିବାକୁ ଶିକ୍ଷା ଦେଉଥିବା ପ୍ରଧାନ ଶିକ୍ଷକ ଅବାଟରେ ନିଜେ ଫସିଛନ୍ତି । ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୌମ୍ୟରଞ୍ଜନ ଖେତି ଗିରଫ ହୋଇଛନ୍ତି । ସେ ୫୫ ଲକ୍ଷ ଟଙ୍କା ହେରଫେର୍ କରିଥିବା ଅଭିଯୋଗ ରହିଛି ।
ସୂଚନା ମୁତାବକ, ସୌମ୍ୟରଞ୍ଜନ ଖେତି ୨୯ ସେପ୍ଟେମ୍ବର ୨୦୨୧ରେ ବିନିକା ଆଦର୍ଶ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ ଦାୟିତ୍ୱ ଗ୍ରହଣ କରିଥିଲା । ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ଜଣାପଡ଼ିଥିଲା । ୨୦୨୧-୨୨ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଏମଡିଏମ୍ , ମୋ ସ୍କୁଲ ଅଭିଯାନ ଏବଂ ବାଳିକା ଛାତ୍ରାବାସ ପାଣ୍ଠିକୁ ଆସିଥିବା ୫୫ ଲକ୍ଷ ୨ ହଜାର ୬୧୦ ଟଙ୍କା ଆତ୍ମସାତ କରି ଥିବା ଜଣାପଡ଼ିଛି । ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବା ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଭିଜିଲାନ୍ସ ଧାରା ୧୩ (୨) ଆର/ଡବ୍ଲୁ ୧୩ (୧) (କ) ପି.ସି. (ସଂଶୋଧନ) ଆଇନ, ବିଏନଏସ୍ ୨୦୧୮/୩୧୬/୬୧(୨) ଅନୁଯାୟୀ ଖେତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ଗିରଫ କରାଯାଇ ସରକାରୀ ପାଣ୍ଠିର ଅପବ୍ୟବହାର ଏବଂ ବ୍ୟବହାରର ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କୁ ପଚରାଉଚରା କରାଯାଉଛି।