କଳାହାଣ୍ଡି: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ନିଚ୍ଛିନ୍ନ ହୋଇଯାଇଛି । ଏକାବେଳେ ବାପା, ପୁଅ ଏବଂ ଝିଅ ଡକାଡକି ହୋଇ ଆରପାରିକୁ ଚାଲିଯାଇଥିବାବେଳେ ମା ମରଣ ସହିତ ଲଢ଼ୁଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଦେହେଲି ନିକଟରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ମୃତକମାନେ ହେଲେ ବାଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନ ତେର୍ଲୋ ଗ୍ରାମର ବୁଧ ବାରିକ (୩୫) ପୁଅ ଆରବ (୧୦) ଏବଂ ବୁଧଙ୍କ ଝିଅ ।
ପ୍ରାଥମିକ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢେ ୯ ସମୟରେ ତେର୍ଲୋ ଗ୍ରାମର ବୁଧ ବାରିକ, ନିଜ ସ୍ତ୍ରୀ ଏବଂ ପୁଅ ଝିଅ ସହିତ ବାଇକରେ ନର୍ଲା ପାର୍ଶ୍ୱରୁ ଆସୁଥିଲେ । ଦେହେଲି ନିକଟରେ ସାମନା ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ ସେମାନଙ୍କ ବାଇକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳର ହିଁ ବାପା ବୁଧ ବାରିକ ଓ ପୁଅ ଆରବଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ସ୍ଥାନୀୟ ଲୋକେ ପତ୍ନୀ ଏବଂ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଝିଅକୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ମାଆର ଅବସ୍ଥା ସଙ୍କଟାପନ୍ନ ହେବାରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ବାଇକ ଏବଂ ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଗାଡ଼ିକୁ ଜବତ କରିଛି । ସ୍ଥାନୀୟ ଲୋକେ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।