ବୌଦ୍ଧ: ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅଞ୍ଚଳରେ ରବିବାର ଭୟଙ୍କର ବାଣ ବିସ୍ଫୋରଣ ହୋଇଛି । ଜିଆକଟା ଓ ଛତ୍ରପୁର ଗାଁ ମଧ୍ୟ ଭାଗରେ ବିସ୍ଫୋରଣରେ ଭୁଶୁଡିଲା ଘର । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଭୟଙ୍କର ବିସ୍ଫୋରଣରେ ଘର ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି । ଭଙ୍ଗା ଘର ତଳେ ଲୋକେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କ୍ଷତିପୂରଣ ଦାବିରେ ଜିଆକଟା, ଛତ୍ରପୁର, ପୁରୁଣାକଟକ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ସୂଚନା ଅନୁଯାୟୀ, ଜିଆକଟର ଏକ ଭଡା ଘରେ ପୁରୁଣାକଟକର ଏକ ବାଣ ବ୍ୟବସାୟୀ ବାଣ ଗଚ୍ଛିତ ରଖିଥିଲେ । କୌଣସି କାରଣବଶତଃ ଆଜି ଦିନ ପ୍ରାୟ ୧୧ଟାରେ ବାଣ ବିସ୍ଫୋରଣ ଘଟିଥିଲା । ଗୋଦାମରେ ବହୁ ପରିମାଣରେ ବାଣ ଥିବାରୁ ଭୟଙ୍କର ବିସ୍ଫୋରଣ ଘଟି ଘରଟି ସଂପୂର୍ଣ୍ଣ ଭୁଶୁଡି ମାଟିରେ ମିଶି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଘଟଣାର ସୂଚନା ମିଳିବାମାତ୍ରେ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । କିଏ ବାଣ ଗଚ୍ଛିତ ରଖିଥିଲା ସେ ନେଇ ପୋଲିସ ଅଧିକ ତଦନ୍ତ କରାଯାଉଛି ।