ବରଗଡ଼ : ବଜ୍ରପାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜାମଟିକ୍ରା ଲରିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜାମଟିକ୍ରା ଲରିଆ ଗାଁର ଦୀପକ କୁର୍ରେ। ତେବେ ପୁଅକୁ ହରାଇ ପରେ ମାଆ ଆଖିରୁ ଲୁହ ଶୁଖୁନି। ଏପରିକି ଉକ୍ତ ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ, ଦୀପକ କୁର୍ରେଙ୍କ ପରିବାର ଦୀର୍ଘ ବର୍ଷ ଧରି ଛତିଶଗଡରୁ ଆସି ଜାମଟିକ୍ରା ଲରିଆ ଗାଁରେ ବସବାସ କରୁଥିଲେ। ମୃତ ଦୀପକ ବାଞ୍ଜିପାଲି ରାସ୍ତାରେ ଥିବା ଏକ ମଦଭାଟିରେ କାମ କରୁଥିଲେ। ଗୁରୁବାର ସନ୍ଧ୍ୟାରେ କାଳ ବୈଶାଖୀ ବର୍ଷା ହେବା ସମୟରେ ସେ କେଉଁଆଡେ ଯାଇ ନ ପାରି ସେ ମଦଭାଟି ଆଗରେ ବସି ରହିଥିଲେ। ଏତିକି ବେଳେ ବଜ୍ରାଘାତ ଲାଗି ସେ ହଠାତ୍ ଟଳି ପଡ଼ିଥିଲେ। ତେଣୁ ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।