ମୟୂରଭଞ୍ଜ: ସାପ କାମୁଡାରେ ଆହତ ହେବା ପରେ କାମୁଡ଼ିଥିବା ସାପକୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଲେ ଯୁବକ । ଏପରି ଏକ ଆଶ୍ଚର୍ଯ୍ୟଜନକ ଓ ଚାଞ୍ଚଲ୍ୟକର ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପିଆରଏମ୍ ମେଡ଼ିକାଲ କଲେଜରେ ଦେଖିବାକୁ ମିଳିଛି । ଆହତ ଯୁବକ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳର ରଘୁନାଥ ସିଂ।
ସୂଚନା ଅନୁସାରେ, ରଘୁନାଥ ନିଜ ବାଡିରେ କାମ କରୁଥିବା ବେଳେ ଏକ ସାପ ତାଙ୍କୁ ଚୋଟ ମାରିବାରୁ ସେ ଗୁରୁତର ହୋଇଥିଲେ। ତେବେ ଗୁରୁତର ହେବା ସତ୍ୱେ ସେ ନିଜର ସାହସ ନ ହରାଇ କାମୁଡ଼ିଥିବା ସାପକୁ ଧରି ଏକ ବସ୍ତାରେ ପୁରାଇ ଦେଇଥିଲେ। ଆଉ ପରିବାର ଲୋକଙ୍କ ସହିତ ଡାକ୍ତରଖାନାକୁ ଆସିଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ସେଠାରେ ଥିବା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏଥି ସହିତ ଆହତ ରଘୁନାଥ ଡ଼ାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କ ମୁହଁରୁ କିଛି ସମୟ ପାଇଁ ବାହାରୁଥିଲା ବିଭିନ୍ନ ଗୀତ। ଯାହାକୁ ଦେଖି ଡାକ୍ତରଖାନାରେ ଥିବା ଡାକ୍ତରଙ୍କ ସହ ରୋଗୀମାନେ ମଧ୍ୟ ତାଜୁବ ହୋଇ ପଡ଼ିଥିଲେ। ଖବର ପାଇ ଡାକ୍ତରଖାନାରେ ସାପ ଉଦ୍ଧାରକାରୀ ଦଳ ପହଞ୍ଚି ସାପଟିକୁ ଧରି ନେଇ ଯାଇଥିଲେ ।