ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନ ଧରି ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ମହାମହିମ ଯୋଗଦେବେ। ଆଜି ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ AIIMS ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ।
ଆସନ୍ତାକାଲି (୧୫ ତାରିଖ)ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଟକ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ସମାରୋହରେ ଯୋଗଦେବେ । ସମାବର୍ତ୍ତନ ଉତ୍ସବ ଅବସରରେ ବିଶ୍ବବିଦ୍ୟାଳୟ ୮୪ ଜଣ ୟୁଜି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୬ ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଶ୍ରେଷ୍ଠ ସ୍ନାତକ, ୭୬ଜଣ ସ୍ନାତକୋତର ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୪୪ଜଣଙ୍କୁ PHD, ଜଣେ DLT ଓ ଜଣେ DSCଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରବିବାର କାର୍କେଡ୍ ରିହର୍ସାଲ୍ ମଧ୍ୟ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ସମସ୍ତ ପ୍ରସ୍ତୁତିର ତଦାରଖ କରିଛନ୍ତି। ଆସନ୍ତାକାଲି ସଂଧ୍ୟାରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।
ଗତ ମାର୍ଚ୍ଚ ୨୪ ତାରିଖରେ ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ପରିଦର୍ଶନରେ ଯାଇଥିଲେ । ସେଠାରେ ରାଷ୍ଟ୍ରପତି ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇ ସେଠାରେ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ମଧ୍ୟ କରିଥିଲେ।