ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କ ବହୁତ ପ୍ରିୟ । ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ଯେଉଁ ଭକ୍ତ ଶ୍ରାବଣ ମାସରେ ଶିବଙ୍କୁ ଗୋଟିଏ ଢାଳ ଜଳ ଅର୍ପଣ କରେ ମହାଦେବ ସେହି ଭକ୍ତ ଉପରେ ଖୁସି ହୋଇ ତାର ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି ।
ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ତ୍ବ ଋଗ୍ବେଦରେ ଉଲ୍ଲେଖ କରାଯାଇଛି। । ତେଣୁ ସୋମବାରରେ ଭଗବାନ ଶିବଙ୍କଠାରେ ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା କରିଥାଆନ୍ତି। କୁହାଯାଏ ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇନଥାନ୍ତି ଜଳାଭିଷେକ ଦ୍ୱାରା ତା’ଠୁ ବେଶି ପ୍ରସନ୍ନ ହୋଇଥାଆନ୍ତି । ସେଥିପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଆସି ଜଳଲାଗି କରିଥାନ୍ତି ।
ଧାର୍ମିକ କଥାନୁସାରେ ମା’ ପାର୍ବତୀ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପସ୍ୟା କରିଥିଲେ। ତେଣୁ ଶ୍ରାବଣ ମାସରେ ମହାଦେବଙ୍କ ଆରାଧନା କଲେ ସମସ୍ତ କଷ୍ଟ ଲାଘବ ହୋଇଥାଏ। ଏହି ସମୟରେ ଶିବଙ୍କ ପୂଜା କଲେ ସମସ୍ତ ମନୋସ୍କାମନାପୂର୍ଣ୍ଣ ହୋଇଥାଏ । ରାସ୍ତାଘାଟରେ ବୋଲ୍ବମ୍ ଭକ୍ତଙ୍କ ଲମ୍ବା ଲାଇନ ସାଙ୍ଗକୁ ହର ହର ମହାଦେବଙ୍କ ଧ୍ୱନୀରେ ପ୍ରକମ୍ପିତ ହେଉଛି ।